ମାଟି ନଈ ଆଉ ବଣ
ମାଟି ନଈ ଆଉ ବଣ
କୁନି କୁନି ପାଦ ଦିଟି ଦଉଡୁଥିଲେ ଅବିଶ୍ରାନ୍ତ ମୁନିଆଁ ର ।
ବିଲ ,ବିଲ ପରେ ବିଲ ଡେଇଁ ଯାଉଥିଲେ ।
ପାଦ ତଳ କଥା ପଚାରେ କିଏ !
ରକ୍ତ ଓ ମାଟିର ରଙ୍ଗ ତ ଏକା ।
ତା ' ନିଶ୍ବାସ ସବୁ ପବନ ସହ ତାଳ ଦେଇ ହାରୁଥିଲେ ସିନା ,
ସିଏ ବାଡବାଟ ନ ଚାହିଁ ଦୌଡୁଥିଲା
ଯେ ଉଡୁଥିଲା ତ୍ରସ୍ତ ହରିଣୀ ପରି ।
ତାକୁ ବାଟ ସାରା ସେଇ
ଲମ୍ବା, କଳା, ମାଟି ଲଗା ଓହଳିଥିବା
ପାଦ ସବୁ ଦିଶିଯାଉଥିଲେ
ତା ସାଙ୍ଗସହି ସବୁଙ୍କ
ଘର ମଣିଷ ର ।
ଦିଶିଯାଉଥିଲା ସାପ ପରି ଲମ୍ବ ଦଉଡି
ଆଉ ବିଲ ମଝିର ଭୁତ ପରି ହାତ ମେଲା ଗଛ ।
ସେଇଟା ଥୁଣ୍ଟା କେମିତି ହେଲା କେଜାଣି ।
ବୁଆ ବି ତ ତାର
ଘର ମଣିଷ କଣ ଯେ !
ସିଏ ହି ତ ଘର ।
ଦୌଡୁଥିଲା ମୁନିଆଁ ।
ଆଣ୍ଠୁରେ ଭରା ଦେଇ ଆଣ୍ଠେଇ ପଡିଲା ବେଳେ
ଶୁଭିଲା ତାକୁ ବୁଆର ଡାକ
" କି ରେ ମାଆ ଏ ବିଲ ଆଡେ କିଆଁ ଅଇଲୁ? "
ଈଶ୍ବର ବି କଥା କୁହନ୍ତି ।
ଅପେକ୍ଷା କରନ୍ତି ତୁମ ବାଟ ଖରାରେ ଠିଆହେଇ ।
ସିଏ କଣ ଉତ୍ତର ଫେରେଇ ପାରିଲା ଯେ,
ତା ଡର ତାକୁ ଏଠିକି ଅଡେଇ ଆଣିଛି ବୋଲି ।
ବନ୍ଧୁଆମୁଣ୍ଡା କୋଦାଳରେ ମାଟି ହାଣୁଥିଲା
ହିଡ ବାନ୍ଧିବ ପରା
ଈଡିଦେଇ ଝାଳ ,
ବୁଣିଦବ ହାତକୁ ମୁଠା କରି ଅକ୍ଷିମୁଠି
ମୁଠା ମୁଠା ।
ମୌସୁମୀ ଖାଲି ମାଆ ହେଇ ଆସିଲେ ହେଲା ।
ମୌସୁମୀ ଆ.. କା ....ଶ ସାରା ମେଲେଇ ହେଇ
ନୋଇଁଲା ମେଘବୁହା କାମ ସାରି ।
ଏଥର ମୁନିଆଁ ହସିଲା
ପ୍ରଶାନ୍ତି ର ହସ ।
ବିଲମଝି ଗଛ ସାରା କଅଁଳ ପତ୍ର
ଡାଳରେ ଗୋଟେ ଛିଟ କଜଳପାତି ।