ବର୍ଷାରେ
ବର୍ଷାରେ
ଝୋ ଝୋ ବର୍ଷା
ତମାମ ରାତି ବର୍ଷା
ଖୁବ୍ ବର୍ଷା
ଭିତରେ ଓ ବାହାରେ ବି ବର୍ଷା ।।
ଅଦିନିଆ ତ ନୁହେଁ
ତା ନିଜ ମାଲିକାନାର ସମୟ ଅବଧିରେ
ପାଦଥାପିଛି ବର୍ଷା
ତେବେ ତାକୁ ରୋକିବ କିଏ
ଓ କାହିଁକି ବା !!
ସିଏ ପରା ଭଲ ପାଇବାରେ ଥାଏ !
ପରସ୍ତ ପରସ୍ତ ମାଟି ପରସ୍ତ ତଳକୁ
ଭେଦିଯାଉଥାଏ ବର୍ଷା
ଟୋପା ଟୋପା ହେଇ ସବୁ ପତ୍ରରେ ସାଇତା ହେଇଥାଏ ବର୍ଷା
ବାଈଚଢେଇର ଚାଳକୁ କି 'ଛୁଇଁ ପାରୁଥାଏ ବର୍ଷା !
ତଥାପି ଆଖିରେ ସ୍ବପ୍ନ ନେଇ ଓହ୍ଲାଇଆସେ ଏ ବର୍ଷା
ମନ ସାଇତି।
ଆଖିରେ ବନ୍ୟା
କେତେ ଛାତ ତଳେ
ଉଷୁମ ଓଠର ଧୂଆଁର ଛାଇ ଏ ବର୍ଷା
କେତେ ଛାତ ତଳେ
ତାରଫିନ୍ ବିଛା ନୀଳଢେଉମରା ବର୍ଷା ।।
କାହା ପଣତରେ ଲ୍ୟାଭେନଡରର ଅତର ପରି ଏ ବର୍ଷା
କାହା ପଣତର ଚିପୁଡା ପାଣିରେ ଭସା ବାଦଲ ଏ ବର୍ଷା।।
ରେ ବର୍ଷା !
ତୁ ତ ନାବିକର ନୁହେଁ
ନାଆର ବି ନୁହେଁ
କାଗଜ ଡଙ୍ଗାରେ
ତୋ ନାମେ କିନ୍ତୁ
ପ୍ରେମ ଲେଖିଥାଏ
" ବର୍ଷା "
