ମା'ର କୋଳ
ମା'ର କୋଳ
ମାଟି ଓ ଆକାଶ ସଦୃଶ ମାଆ
ସ୍ୱଚ୍ଛ ମନ ତା'ର ସେ ସର୍ବଂସହା
ଶିଶୁ ପାଇଁ ଶ୍ରେଷ୍ଠ ମା'ର କୋଳ
ଜଣାପଡ଼େନାହିଁ ସଞ୍ଜ ସକାଳ ।
ମା'ର କୋଳରେ ଶିଶୁଟି ଥିଲେ
ମଶା,ମାଛି,ପୋକ ନବସେ ତିଳେ
ଖରା,ବର୍ଷା,ଶୀତ ଆସେରେ ଯାଏ
ମାଆର ପଣତ ହଟାଇ ଦିଏ ।
ଝାଡ଼ା ବାନ୍ତି କଲେ ମାଆ କୋଳରେ
ପୋଛି ଦିଏ ମାଆ ସ୍ୱଚ୍ଛ ମନରେ
ମାଆ ଗପ ଗୀତ ଶିଶୁକୁ ଭଲ
ବୁଝୁ ବା ନବୁଝୁ ମାନଇ ବୋଲ ।
ମାଆ ତା'ବକ୍ଷରୁ ଦିଅଇ କ୍ଷୀର
ଶିଶୁ ପାଇଁ ଏହା ଅମୃତ ଝର
କୋଳରେ ବସାଇ ଦେଖାଏ ଶଶୀ
ପିଲାର ଖୁସିରେ ମାଆର ଖୁସି ।
ମା' କୋଳେ ମିଳଇ ସରଗ ଶାନ୍ତି
ହରଇ ଶିଶୁର ସକଳ କ୍ଲାନ୍ତି
ଶୁଅଇ ଶିଶୁଟି ହୁଅଇ ସଜ
ଶିଶୁ ପାଇଁ କୋଳ ସୁନ୍ଦର ଶେଯ ।
ଯାହାର କୋଳରେ ପିଲାଟେ ନାହିଁ
କୋଟି ଦେବାଦେବୀ ନିତି ପୂଜଇ
ପୂରାଅ ଠାକୁରେ ସକଳ କୋଳ
ଖୁସି ଭରିଦିଅ ବଞ୍ଚାଅ କୁଳ ।
ଖେଳି ଖେଳି ଶିଶୁ ହୋଇଲେ କ୍ଳାନ୍ତି
ମା' କୋଳ ଦିଅଇ ସରଗ ଶାନ୍ତି
ସରାଗରେ ମାଆ ଦିଏ ଆଉଁସୀ
ମାଆ ପରି କିଏ ସଂସାରେ ଅଛି ।
ଦଶ ମାସ ମାଆ ଗରଭେ ବୋହି
ଦେଖାଇଛି ମାଆ ସୁନ୍ଦର ମହୀ
ପ୍ରଥମ ଶିକ୍ଷକ ମାଆଟି ଜାଣ
ଶିଶୁ କରେ ତାକୁ ଅନୁକରଣ ।
ସବୁରି ପିଲାଙ୍କୁ ସମାନ ଦେଖେ
ପିଲା ଦୁଃଖ ସୁଖେ ଥାଏ ସେ ପାଖେ
ନିତି ଡାକୁଥାଏ ଜଗା ଠାକୁର
ପିଲାଙ୍କୁ ଉତ୍ତମ ମଣିଷ କର ।
ମାଆ ପାଦରେଣୁ ଶରଧା ବାଲି
ମାଆର ମମତା ହୁଏନି ଭୁଲି
ପାଖେ ପାଖେ ଥିଲେ ମାଆ ଆଶିଷ
ବଢ଼ଇ ଆୟୁଷ ବଢ଼ଇ ଯଶ ।
