STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ରତ୍ନ ସିଂହାସନେ ସପ୍ତାଭରଣ

ରତ୍ନ ସିଂହାସନେ ସପ୍ତାଭରଣ

1 min
27


ଶ୍ରୀମନ୍ଦିରେ ଅଛି ଷୋଡଶ ମଣ୍ଡପ

ତନ୍ମଧ୍ୟେ ରତ୍ନ ମଣ୍ଡପ

ଗର୍ଭ ଗୃହେ ରତ୍ନ ବେଦୀ ମହା ବେଦୀ

ସିଂହାସନ ବା ମଣ୍ଡପ

ନୀଳାଦ୍ରି ରେ ଶଙ୍ଖା-କାର କ୍ଷେତ୍ର ମଧ୍ୟେ

ଏ ପବିତ୍ର ଅଧିଷ୍ଠାନ

ଶତ ଦଳ କମଳ ଉପରେ ଭବ୍ୟ

ଶ୍ରୀବିଗ୍ରହ ବିଦ୍ୟମାନ

ଜନଶ୍ରୁତି ତଥା ପୁରାଣେ ବର୍ଣ୍ଣିତ

ଭିନ୍ନ ଭିନ୍ନ ଉପାଖ୍ୟାନ

ଲକ୍ଷେ ଜୀବନ୍ତ ଶାଳଗ୍ରାମ ଉପରେ

ଅଛି ରତ୍ନ ସିଂହାସନ

ରତ୍ନ ସିଂହାସନ ପୂର୍ବ ଦିଗେ ହୀରା 

ମୁକ୍ତା ଅଛି ଦକ୍ଷିଣରେ

ପଶ୍ଚିମେ ବୈଦୁର୍ଯ୍ୟ ଉତ୍ତରେ ବିଦ୍ରୁମ

ସ୍ଫଟିକ ଅଗ୍ନି କୋଣରେ

ନୈଋତ କୋଣରେ ଅଛି ପୁଷ୍ପରାଗ 

ଇନ୍ଦ୍ର ନୀଳ ଇଶାନରେ 

ମଧ୍ୟ ଭାଗେ ବ୍ରହ୍ମ ରାଗ-ବ୍ରହ୍ମ ହୀରା

ସଂପୂର୍ଣ୍ଣ ଅଷ୍ଟ ମଣିରେ 

ରତ୍ନ ସିଂହାସନେ ଶ୍ରୀଯନ୍ତ୍ର - ଶ୍ରୀଚକ୍ର

ପୁଣି ବାମରୁ ଦକ୍ଷିଣ

ତାରା,ଭୁବନେଶ୍ଵରୀ ଓ ଶ୍ୟାମା ଯନ୍ତ୍ର

ଉପରେ ଜୀଉ ଆସ୍ଥାନ

ସାତ ଗୋଟି ଅଙ୍ଗ ରତ୍ନ ସିଂହାସନେ

ପିଣ୍ଡି କୁମ୍ଭ କାନ୍ଥି ବନ୍ଧ 

ସ୍ତମ୍ଭ ଓ କନକ ମୁଣ୍ଡାଇ ନାମରେ

ପ୍ରତି ଅଙ୍ଗର ସମ୍ବନ୍ଧ

କୁମ୍ଭ ବନ୍ଧରେ ନବ ଗ୍ରହ ବଇଠା

ମାଳ ଚୁଳ ସେ' କାନ୍ଥିରେ

ସ୍ତମ୍ଭ - କନକ ମୁଣ୍ଡାଇରେ ଚାନ୍ଦୁଆ

ବିଗ୍ରହ ବିଜେ ପିଣ୍ଡିରେ ।


ଶ୍ରୀଜଗନ୍ନାଥ - ବଳଭଦ୍ର - ସୁଭଦ୍ରା

ସାଥିରେ ଶ୍ରୀସୁଦର୍ଶନ

ଶ୍ରୀଦେବୀ ଭୂଦେବୀ ସହିତ ମାଧବ

ବିଜେ ରତ୍ନ ସିଂହାସନ

ଶ୍ରୀ ଜଗନ୍ନାଥଙ୍କ ବାମ ରେ ଶ୍ରୀଦେବୀ

ସୁଦର୍ଶନ ଓ ମାଧବ

ଭୂଦେବୀ ଦକ୍ଷିଣ ଭାଗରେ ବିରାଜି 

ଦୃଶ୍ୟ ଅତୀବ ଅପୂର୍ବ

ପୂର୍ବାଭିମୁଖୀ ଅବସ୍ଥାନ ଶ୍ରୀଜିଉ

ଦେବୀ ସୁଭଦ୍ରା ମଝିରେ

ଶ୍ରୀବଳଭଦ୍ର ଭଉଣୀ କୁ ଲାଗି

ଭାଇ ଭଉଣୀ ବେଦୀରେ 

ସ୍ୱର୍ଣ୍ଣ ରେ ନିର୍ମିତ ଶ୍ରୀଦେବୀ ବିଗ୍ରହ

ଭୂଦେବୀ ରୌପ୍ୟ ଧାତୁରେ

ଅନ୍ୟ ପାଞ୍ଚ ମୂର୍ତ୍ତି ଦାରୁ ବିଗ୍ରହଙ୍କ

ଆସ୍ଥାନ ରତ୍ନ ବେଦୀରେ 

ରତ୍ନ ସିଂହାସନେ ବିଜେ ଶ୍ରୀଜୀଉଙ୍କ

ସ୍ବରୂପ ସହିତ ରଙ୍ଗ

ଧଳା ରଙ୍ଗ ହିଁ ଶ୍ରୀବଳଭଦ୍ରଙ୍କର

ସୁଭଦ୍ରା ହଳଦୀ ରଙ୍ଗ

ନୀଳ ବା କୃଷ୍ଣ ଶ୍ରୀଜଗନ୍ନାଥଙ୍କର

ସୁଦର୍ଶନ ରକ୍ତ ବର୍ଣ୍ଣ 

ସେ ରଙ୍ଗ ମହିମା କିଏ ବା ବର୍ଣ୍ଣିବ 

ସ୍ଵୟଂ ଜୀଉଙ୍କ ନିଦାନ ।


ଜଗନ୍ନାଥ ନାମ ସମଷ୍ଟି ବାଚକ 

ଚତୁର୍ଦ୍ଧା ମୂର୍ତ୍ତି ସହିତ

ସର୍ବ ଦେବ ଦେବୀଙ୍କର ଏକୀଭୂତ

ଦାରୁବ୍ରହ୍ମ ଜଗନ୍ନାଥ

ମାଧବ ଓ ଦଧିବାମନ ନାମରେ

ହେବେ କେବଳ ବିଦିତ

ହୁଏ ଯଦି ଅପସାରିତ ତ୍ରୀମୂର୍ତ୍ତି 

ସିଂହାସନରୁ ତ୍ୱରିତ

ସୁରକ୍ଷା ନିମନ୍ତେ ଅଷ୍ଟ ଚଣ୍ଡୀ ରହି

ମନ୍ଦିର ଅଷ୍ଟ ଦିଗରେ

ରତ୍ନ ସିଂହାସନ ପୁଣି ଶ୍ରୀମନ୍ଦିର

ଅଛି ସୁରକ୍ଷା ଘେରରେ ।


ରତ୍ନ ସିଂହାସନେ ସପ୍ତାଭରଣଙ୍କ 

ଦର୍ଶନେ ଜୀବନ ଧନ୍ୟ 

ରତ୍ନ ସିଂହାସନ ଦର୍ଶନ ନିମନ୍ତେ

ପ୍ରଭୁ କୃପା ହିଁ କାରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama