ତୁମ ପରି କେହି ନୁହଁ
ତୁମ ପରି କେହି ନୁହଁ
ତୁମେ ଗଢ଼ିଥିବା କୋଣାରକ ଆସି
ଦେଖିଛି ମୁଁ ବୁଲି ବୁଲି
କାରୁକାମ ତା'ର ଆହା କି ସୁନ୍ଦର
ପାରୁନି ମନରୁ ଭୁଲି ।।
ତୁମେ ଗଢ଼ିଥିବା ଶୀରିମନ୍ଦିରକୁ
ଦେଖିଛି ମୁଁ ବାରବାର
ଯେତେ ଦେଖିଲେ ବି ନିତି ହୁଏ ଭାବି
ଦେଖିବାକୁ ରୂପ ତା'ର ।।
ତୁମେ ଗଢ଼ିଥିବା ତିନିଠାକୁରଙ୍କୁ
ଦେଖି ମୁଁ ହୋଇଛି ସୁଖୀ
କାଳିଆ ବଳିଆ ଦୁଇ ଭାଇ ଆହା
ଭଉଣୀ ହଳଦୀମୁଖୀ ।।
ତୁମେ ଗଢ଼ିଥିବା ହୀରାକୁଦ ବନ୍ଧ
ତା' ପରି କିଏ ସେ କାହିଁ
କହୁଛି ମୁଁ ସତ ହୋଇଛି ଚକିତ
ତାକୁ ନିଜେ ଦେଖି ଚାହିଁ ।।
ତୁମେ ଗଢ଼ିଥିବା ଲିଙ୍ଗରାଜଙ୍କର
ଦେଉଳ ଦେଖି ମୋ ଆଖି
ଜମା ପାରିନାହିଁ ପଲକ ପକାଇ
ତହିଁରେ ରହିଛି ଲାଖି ।।
ତୁମେ ଗଢ଼ିଥିବା ବିରଜା ମାଆଙ୍କ
ମନ୍ଦିର ଆଖିରେ ଦେଖି
ତୁମ ଯାଦୁକରୀ କଳା କାରିଗରୀ
ଛାତିରେ ପାରିଛି ଲେଖି ।।
ତୁମେ ଗଢ଼ିଥିବା ବାରବାଟୀ ବୁଲି
ଦେଖିଛି ମୁଁ ଯେବେ ଯାଇ
ତୁମ ପରଶଂସା କରିବାକୁ ଭାଷା
ଖୋଜି ଖୋଜି ପାଇନାହିଁ ।।
ହେ ଶିଳ୍ପୀକୁଳ ଏ କୀରତି ସବୁରେ
ଦେଖିଛି ମୁଁ ତୁମ ମୁହଁ
ତୁମେ ଗଉରବ ରାଇଜ ଗରବ
ତୁମ ପରି କେହି ନୁହଁ ।।