STORYMIRROR

Sachidananda Kar

Children

3  

Sachidananda Kar

Children

ତୁମ ପରି କେହି ନୁହଁ

ତୁମ ପରି କେହି ନୁହଁ

1 min
163

    ତୁମେ ଗଢ଼ିଥିବା କୋଣାରକ ଆସି

      ଦେଖିଛି ମୁଁ ବୁଲି ବୁଲି

    କାରୁକାମ ତା'ର ଆହା କି ସୁନ୍ଦର

      ପାରୁନି ମନରୁ ଭୁଲି ।। 


    ତୁମେ ଗଢ଼ିଥିବା ଶୀରିମନ୍ଦିରକୁ

      ଦେଖିଛି ମୁଁ ବାରବାର

    ଯେତେ ଦେଖିଲେ ବି ନିତି ହୁଏ ଭାବି

      ଦେଖିବାକୁ ରୂପ ତା'ର ।। 


    ତୁମେ ଗଢ଼ିଥିବା ତିନିଠାକୁରଙ୍କୁ

      ଦେଖି ମୁଁ ହୋଇଛି ସୁଖୀ

    କାଳିଆ ବଳିଆ ଦୁଇ ଭାଇ ଆହା

      ଭଉଣୀ ହଳଦୀମୁଖୀ ।। 


    ତୁମେ ଗଢ଼ିଥିବା ହୀରାକୁଦ ବନ୍ଧ

      ତା' ପରି କିଏ ସେ କାହିଁ

    କହୁଛି ମୁଁ ସତ ହୋଇଛି ଚକିତ

      ତାକୁ ନିଜେ ଦେଖି ଚାହିଁ ।। 


    ତୁମେ ଗଢ଼ିଥିବା ଲିଙ୍ଗରାଜଙ୍କର

      ଦେଉଳ ଦେଖି ମୋ ଆଖି

    ଜମା ପାରିନାହିଁ ପଲକ ପକାଇ

      ତହିଁରେ ରହିଛି ଲାଖି ।। 


    ତୁମେ ଗଢ଼ିଥିବା ବିରଜା ମାଆଙ୍କ

      ମନ୍ଦିର ଆଖିରେ ଦେଖି

    ତୁମ ଯାଦୁକରୀ କଳା କାରିଗରୀ

      ଛାତିରେ ପାରିଛି ଲେଖି ।। 


    ତୁମେ ଗଢ଼ିଥିବା ବାରବାଟୀ ବୁଲି

      ଦେଖିଛି ମୁଁ ଯେବେ ଯାଇ

    ତୁମ ପରଶଂସା କରିବାକୁ ଭାଷା

      ଖୋଜି ଖୋଜି ପାଇନାହିଁ ।। 


    ହେ ଶିଳ୍ପୀକୁଳ ଏ କୀରତି ସବୁରେ

      ଦେଖିଛି ମୁଁ ତୁମ ମୁହଁ

    ତୁମେ ଗଉରବ ରାଇଜ ଗରବ

      ତୁମ ପରି କେହି ନୁହଁ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children