ମୁଁ ସୁନାପିଲା
ମୁଁ ସୁନାପିଲା
ଦାଆଲୁଦାଲୁ ବଣୁଆ ଭାଲୁ
ମୁଣ୍ଡରେ ବାନ୍ଧିଛି ରିବନ ଫିତା
ଥୁଉ ଥୁଉ କେତେ କରୁଥିଲା ,ହେଲେ
ନିଇତି ଏବେ ସେ ଖାଉଛି ପିତା ।
କୁକୁଲକୁଆ ମାଙ୍କଡ଼ ଛୁଆ
ଦୁଆରେ ବସିଛି ସିଲଟ ଧରି
ଗୋଟିକ ପଛକୁ ଗୋଟିଏ ଅକ୍ଷର
ଗୋଲ୍ ଗୋଲ୍ ସବୁ ଲେଖୁଛି କରି ।
ଆନିକିତାନି ବିଲେଇ ନାନୀ
ଏଇଠି ଅଛି ସେ ଏଇଠି ନାହିଁ
ନୂଆ ସାଇକେଲ ଆସିଛି ବୋଲି ତା'
ମନଟି ଉଡୁଛି ଆକାଶେ ଯାଇ ।
ଚିକନଚାଇ ନେଉଳ ଭାଇ
କିଏ ଜାଣେ ତା'ର କୋଉଠି ଘର
ବୁଲାରିଆଟା ସେ ସବୁବେଳେ ଖାଲି
ଧାଉଁଥାଏ ହୋଇ ତଅରତର ।
ତାଇକିତନା ଠେକୁଆ ନନା
ଆଉ କାମ ପାଇଁ ନାହିଁ ତା' ବେଳ
ଯେତେବେଳେ ଦେଖ ଘାସ ପଡ଼ିଆରେ
ସାଙ୍ଗସାଥି ହୋଇ ଖେଳୁଛି ଖେଳ ।
ଢିଲମଢିଲା ବିଲୁଆ ପିଲା
ଚିଡୋଉଛି ତାକୁ ଦେଖୁଛି ଯିଏ
ସବୁଠାରେ ଥାଏ କୋଉଠି ନ ଥାଏ
ଚାଲାକି ଗୁଣରେ ସରିଛି ସିଏ ।
କୁଢୁଆକୁଢ଼ା କଇଁଛ ବୁଢ଼ା
ଯେମିତି ଥିଲା ସେ ସେମିତି ଏବେ
ଥିରିପାଦିଆ ସେ ଭାରି ଧୀର, ହେଲେ
କାମ ଥିଲେ ହେଳା କରେନି କେବେ ।
ଚିଲମଚିଲା ମୁଁ ସୁନାପିଲା
ଆଈଙ୍କର ମୁଁ ଯେ ଗୋଲାପ କଢ଼ି
ଅଜାଙ୍କର ଗେହ୍ଲା ଭାରି ଗେହ୍ଲା ମୁଁ ଯେ
ସବୁଦିନେ ପାଠ ଦେଉଛି ପଢ଼ି ।