STORYMIRROR

Sachidananda Kar

Children

4  

Sachidananda Kar

Children

ପାଳିଲେ ସଭିଏଁ ନୂଆବରଷ

ପାଳିଲେ ସଭିଏଁ ନୂଆବରଷ

1 min
264

    ଏସନ ପାଳିବା ନୂଆ ବରଷ

    କହିଲା ବିଲୁଆ ହୋଇ ହରଷ

    କରିବା ମଉଜ ବୁଲିଯିବା ପୁରୀ

      ଭୋଜିଟା ଯେମିତି ହେବ ସରସ ।। 


     ତା' ପଛକୁ ଥିଲା ବୁଢ଼ା ନେଉଳ

    କହିଲା ଦେଖିବା ପୁରୀ ଦେଉଳ

    ହେଲେ ଯାହା ରାନ୍ଧ ବଣ ଭୁଆ ଲାଗି

      ଆଣିଥିବ ଗୋଟେ ସଜ ଶେଉଳ ।। 


    ଗଧିଆଟା ବସିଥିଲା ଆଗରେ

    କହିଲା ଏବେଠୁଁ ସବୁ ଲାଗରେ

    ଯାହା ଯାହା ସବୁ ରନ୍ଧାରନ୍ଧି ହେବ

      ରାନ୍ଧିଦେବି ମୁହିଁ ବଡ଼ ବାଗରେ ।। 


    ଗୋଧିଟା ଆସିଲା ଝୁଲିଝୁଲିକା

    କହିଲା ଖୁସିରେ ଫୁଲିଫୁଲିକା

    ଯିବା ଯେବେ ପୁରୀ ଦେଖିବା ଠାକୁର

      ଆଉ ଯାହା ସବୁ ବୁଲିବୁଲିକା ।। 


    ଠେକୁଆଟା ବସିଥିଲା ପଛରେ

    କହିଲା ମୋ ପାଇଁ କିଏ ଅଛରେ

    ସାଦା ପାଇଁ କିଆଁ କହୁନାହଁ କେହି

      ଫଳୁନି ପରିବା କିବା ଗଛରେ ।। 


    ପିଜୁଳି କଦଳୀ ସେଓ ଆଣୁନ

    ମୋର ମନ କଥା କିଆଁ ଜାଣୁନ

    କହିଲା ଶୁଆଟି ଉଠିପଡ଼ି କିଛି

      ଗରମ ଗରମ ପୁରି ଛାଣୁନ ।। 


    ଚାଇଁ ଚିକି ଚିକି ଝାଇଁ ଝାଙ୍କଡ଼

    ମୋ ପାଇଁ ଆଣିବ କଷି କାଙ୍କଡ଼

    ଗୋଟି ଗୋଟି କରି ବସି ମୁଁ ଖାଇବି

      ହସି କହିଦେଲା ହନୁ ମାଙ୍କଡ଼ ।। 


    କହିଲା ବିଲୁଆ ପୁଣି ଶେଷରେ

    ସଭିଏଁ ଆସିବ ରଜା ବେଶରେ

    ମିଳିମିଶି ସବୁ କରିବା ଯୋଗାଡ଼

      ଯାହା ଥିବ ଏଇ ବଣ ଦେଶରେ ।। 


    ଭୋଜିଭାତ ହେଲା ଭାରି ସରସ

    ସଭିଙ୍କର ମନ ଅତି ହରଷ

    ଖିଆପିଆ ସାରି ବୁଲାବୁଲି କରି

      ପାଳିଲେ ସଭିଏଁ ନୂଆ ବରଷ ।। 


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children