ଆମେ ଶୀତର ମିତ
ଆମେ ଶୀତର ମିତ
ବରଷକେ ବାରମାସଟି ଛଋତୁରେ ଥାଏ
ଗ୍ରୀବଶହେଶିବ ଅକ୍ଷର ଆଦ୍ୟନାମରେ ହୁଏ l
ଗ୍ରୀଷମ ବରଷା ଶରତ ହେଲେ ହେମନ୍ତପାର
ପଉଷମାଘରେ ପ୍ରକୋପ ଶୀତ ଦେଖାଏ ତାର l
ଦଶହରା ଠାରୁ ପସରା ତାର ମେଲାଇ ଥାଏ
ଅଘି ଜାଳିବାର ପରଠୁ ଶୀତ ଉଭେଇ ଯାଏ ।
ବୃକ୍ଷଲତା ଦୁବ ଶୋଭନ୍ତି ଶିଶିରମୁକ୍ତା ଧରି
ବାଳସୂର୍ଯ୍ୟ ପ୍ରତିଫଳନେ ଦିଶେ ହୀରକ ପରି l
ଅରୁଣ ଆଭାରେ ଶିଶିର ବିନ୍ଦୁ ଝଲସି ହସେ
ପାଚିଲା ଶସ୍ୟର କ୍ଷେତ୍ରଟି ସୁବର୍ଣ୍ଣ ଦୀପ ଦିଶେ l
ଦିନ ଛୋଟ ରାତି ବଡ଼ଟି ଏହି ସମୟ କାଳେ
ଅଧିକ ସମୟ ଯାଏଟି ନିଦମାଉସି କୋଳେ l
ଶୀତବସ୍ତ୍ର ହେଂସ କମ୍ବଳ ଶୀତ ବାସକୁ ଧରି
ଧୂନିଜାଳି ସଞ୍ଜସକାଳେ ବସି ମେଳାପ କରି l
ଏହି ଋତୁ ପରା ଅଟଇ ଚାଷୀଭାଇର ମିତ
ବରଷକ ଖାଦ୍ୟ ଅମଳ କରିଥାଏଟି ସେତ l
ସବୁଜ ପନିପରିବାରେ ଖେତ ଉଠଇ ଭରି
କୃଷକରଅଣ୍ଟି ଭରଇ ତାକୁ ବିକିରି କରି l
ଟଗର ମନ୍ଦାର ଗୋଲାପ ଗେଣ୍ଡୁ ଚମ୍ପା ତରାଟ
ନାନା ଫୁଲେ ମହୀ ଚାହଟେ ଦିଶେ ଅପୂର୍ଵ ହାଟ l
ନଦୀପଠା ଗ୍ରାମ ଉପାନ୍ତେ ଶୋଭେ ସୋରିଷ ଫୁଲ
ଅପରୂପ ଶୋଭା ଦିଶଇ କବି ଗାଏତା ମୂଲ l
ଏହି ଋତୁ ସ୍ୱାସ୍ଥ୍ୟପକ୍ଷରେ କରେ ଅନେକ ହିତ
ପ୍ରତିରୋଧଶକ୍ତି ଶରୀରେ ବୃଦ୍ଧି କରଇ ଶୀତ l
ପ୍ରାତଃ ଭ୍ରମଣ ଓ ବ୍ୟାୟାମ ଯୋଗ ସାଧନ୍ତି ଯେତେ
ଅପେକ୍ଷାରେ ସବୁ ଥାଆନ୍ତି ଏଇ ଦିନକୁ କେତେ l
ବଣଭୋଜି ସବୁ କରନ୍ତି ବୁଲି ବିଭିନ୍ନ ସ୍ଥାନ
ଦେବଦେବୀ କରି ଦର୍ଶନ ଆନନ୍ଦ ହୁଏ ମନ l
ଏହି ଦିନେ କେତେ ପରବ ଜାନି ଯାତରା ଥାଏ
ମାଣବସା ପ୍ରଥମାଷ୍ଟମୀ ସାମ୍ବଦଶମୀ ହୁଏ l
ପୁଷୁପୁନେଇଁ ଦଶହରା ଦୀପାବଳୀର ମଜା
ମକର ଓ ଧନୁସଂକ୍ରାନ୍ତି ବାଗଦେବୀଙ୍କ ପୂଜା l
ବସନ୍ତର ଆଗମନରେ ମିତ ଶୀତଟି ଯାଏ
ଫଗୁ ଓ ଚଇତେ ଏଧରା ନୂଆ ପରସ ପାଏ l
ଶୀତ ଆମ ମିତ ଅଟଇ ସେତ ଜଗତ ବନ୍ଧୁ
ସବୁ ଋତୁ ଖଞ୍ଜି ଅଛନ୍ତି ସେହି କୁରୁପାସିନ୍ଧୁ l