କହ ଲୋ ମା ତ୍ରିଲୋକ ପାଳିନୀ
କହ ଲୋ ମା ତ୍ରିଲୋକ ପାଳିନୀ
ଯାହା ମୁଁ ଦେଖୁଛି ଯାହା ମୁଁ ଧରୁଛି
ସବୁ ତୋର ଜଗତ ଜନନୀ
କିସ ଦେଇ ତୋତେ ପୂଜିବି ଗୋ ସତେ
ଅସହାୟ ମୁହିଁ ଚଣ୍ତାଳୁଣୀ ॥୦॥
ବସାଇବି ତୋତେ ମନର ମନ୍ଦିରେ
ଛିଞ୍ଚି ଲୋ ଆନନ୍ଦ ଅଶ୍ରୁ ପାଣି
ବିବେକ ମାଣରେ ଅତି ଯତନରେ
ଭକତିଧାନ ଜଟକୁ ବୁଣି
ଆସିବୁ ଲୋ ମାଆ ହେବୁ ତୁହି ସାହା
ମହାଲକ୍ଷ୍ମୀ ଶ୍ରୀକ୍ଷେତ୍ର ବାସିନୀ ॥୧॥
ଭାବ ଗନ୍ଧବୋଳା ପ୍ରେମ କଉଡିରେ
ଆଖି ନାକ ହୃଦୟରେ ଟାଣି
ବିଶ୍ବାସ ଖଟୁଲି ଉପରେ ବସାଇ
ନିଶ୍ବାସ ନୈବେଦ୍ୟ ଦେବି ପୁଣି
ପରାଣ ପ୍ରଦୀପେ ଶ୍ରଦ୍ଧା ଘିଅ ଢାଳି
ଡାକୁଛି ମା କମଳ ବାସିନୀ ॥୨॥
ଯାଚିକି ଦେଇଛୁ ଆଶା ଠୁ ଅଧିକ
ମା ବୋଲି ତୋତେ କେବେ ମାଗିନି
କରୁଣା ଦାୟିନୀ ମାଆ ନାରାୟଣୀ
ଦୟାରଖିବୁ ମନକଥା ଜାଣି
କିକହିବି ସତେ ଅଜଣାକି ତୋତେ
କହଲୋ ମା ତ୍ରିଲୋକ ପାଳିନୀ ॥୩॥
