STORYMIRROR

ବି. ନିରୁପମା

Classics

4  

ବି. ନିରୁପମା

Classics

ଏବେ ସମ୍ଭାଳ ଏ ରାଜ୍ୟ ତୁମର

ଏବେ ସମ୍ଭାଳ ଏ ରାଜ୍ୟ ତୁମର

1 min
268


ଚଉଦ ବରଷ ପୂରିଗଲା ଆଜି

ଜ୍ୟେଷ୍ଠ ଭ୍ରାତା ମୋର ଆସିଲେ ନାହିଁ,

ପାସୋରି ଗଲେକି ଭରତର କଥା

ମୋତେ ଛାଡ଼ିକରି ରହିଲେ କାହିଁ !!


ବନବାସ କଥା ଶୁଣିକି ମୁଁ ତାଙ୍କୁ

ଭେଟିଥିଲି ଯାଇ ଚିତ୍ରକୁଟରେ,

ରାଜ୍ୟକୁ ଫେରିବା ଲାଗି ଅଳି କଲି

କହିଲେ-"ତୁ ରହ ଅଯୋଧ୍ୟାପୁରେ ।


ପିତାଙ୍କ ସତ୍ୟ ଯା' ପାଳନ କରିବା

ଆଶିଷ ଦେବେ ସେ ସ୍ଵର୍ଗରେ ଥାଇ,

ଚଉଦ ବରଷ ପୂର୍ଣ୍ଣ ହେବ ଯେବେ

ରାଜ୍ୟକୁ ଫେରିବି ମୋ ପ୍ରିୟ ଭାଇ ।"


କହିଥିଲି ତୁମ କଠଉକୁ ରଖି

ସିଂହାସନ ପରେ, ପାଳିବି ରାଜ୍ୟ,

ଚଉଦ ବର୍ଷରୁ ଦିନେ ବେଶୀ ହେଲେ

ପ୍ରାଣତ୍ୟାଗ ମୁହିଁ କରିବି ଧାର୍ଯ୍ୟ ।


ଶୁଣିଥିଲି ହନୁମାନଙ୍କ ନିକଟୁ

ଯାଉଥିଲେ ଯେବେ ଔଷଧି ନେଇ,

ସୀତାଙ୍କ ହରଣ କରିଛି ରାବଣ

ଲଢୁଛନ୍ତି ଭାଇ ଲଙ୍କାକୁ ଯାଇ ।


ପ୍ରିୟ ଅନୁଜ ମୋ ଲକ୍ଷ୍ମଣ ଭ୍ରାତାର

ଶକ୍ତିଭେଦ ହୋଇଅଛି ସେଇଠି,

ଦ୍ରୋଣଗିରି ନେଇ ଯାଉଥିଲେ ହନୁ

ବାଟୁଳି ଆଘାତେ ପଡ଼ିଲେ ଏଠି ।


ଦେଲେ ମୋତେ ସେଇ ଯୁଦ୍ଧର ବାରତା

ସୈନ୍ୟ ନେଇଯିବି କହିଲି ମୁହିଁ,

କହିଲେ ସେ ତୁମ୍ଭେ ରାଜ୍ୟ ପାଳ ଏଠି

ପ୍ରଭୁ ନିଶ୍ଚେ ଯୁଦ୍ଧେ ଜିଣିବେ ତହିଁ ।


ଚଉଦ ବରଷ ପୂରା ହେଲା ଏବେ

ମୋତେ ଭୁଲିଗଲେ କିବା ଶ୍ରୀରାମ,

ନ ଆସିବେ ଯଦି ଅଯୋଧ୍ୟାପୁରୀକୁ

ଏ ଜୀବନ ରଖି ଅଛି କି କାମ !!


ଫେରିଆସ ତୁମେ ଭ୍ରାତା ଓ ଭାଉଜ

ଏବେ ସମ୍ଭାଳ ଏ ରାଜ୍ୟ ତୁମର,

ଭରତକୁ ନିଜ ସେବକ ଭାବରେ

ହୃଦକଥା ବୁଝି ନିଯୁକ୍ତ କର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics