ଅସଲ ଠିକଣା
ଅସଲ ଠିକଣା


#ସିଧାକଥା-୩୧
କଳେବଳେ ଧନ ଅର୍ଜିଲି ଅନେକ ଖାଇଲି ବହୁତ ମିଠା,
ମିଠା ଖାଇଖାଇ ତୁଣ୍ଡରୁ ମୋହର ହଜିଲା ମଧୁର କଥା ।
ମଧୁମେହ ରୋଗ ମଧୁ ଝରେଇଲା ମିଠା ଖାଇବାକୁ ମନା,
କହିବାକୁ ଲାଜ ସଭିଏଁ ଜାଣନ୍ତି ଖାଉଛି ମୁଁ ଘୋଡ଼ାଦାନା ।
ଘରଘର କହି ଗଢିଲି ମହଲ ସବୁ ଧନ ବଳଦେଇ,
ଦାମୀ ପାଳଙ୍କଟା କିଣିଥିଲି ସିନା ଗଦିରେ ଶୋଇଲି ନାହିଁ ।
ମନଲାଖି ଗାଡ଼ି ଘଡ଼ି କିଣିଥିଲି ପୋଷାକ ଜାତିକି ଜାତି,
କିଛିଦିନ ପରେ ଲୋଡ଼ା ହେବ ମୋର ଖଣ୍ଡେ ମାତ୍ର ଧଳାଧୋତି ।
ଶେଷରେ ମୋ ପାଇଁ ଅତିଛୋଟ ଘର ମଶାଣିରେ ହେବ ଗଢା,
ସମାଧି ଉପରେ ତୁଳସୀ ଚଉଁରା, ହେବ ପ୍ରେତ ଭାତବଢା ।
ଅସଲ ଠିକଣା ହୋଇଯିବ ମୋର ଆମ ଗାଁ' ମଶାଣି ଭୁଇଁ,
ଆଉଥରେ ପୁଣି ଜନମ ନେବାକୁ ହେଉଥିବି ହାଇଁପାଇଁ ।
ଧନ ଜନ ମାନ ଜ୍ଞାନ କି ସମ୍ମାନ ରହିବନି ମୋର ପାଶେ,
ହରାଇଛି ତାକୁ ଲୋଭ ମୋହ ମାୟା ଆଉ ଅହଂକାର ବଶେ ।