ନମ୍ବର
ନମ୍ବର


ସିଧାକଥା-୨୮
ନମ୍ବର ନମ୍ବର କେତେ ନମ୍ବରକୁ ମନରେ ରଖିବି ଭାଇ ?
ଘରର ନମ୍ବର ଜୋତାର ନମ୍ବର ମୂଳରୁ ମୋ ମନେନାହିଁ ।
ଆଧାର ନମ୍ବର ଭୋଟର ନମ୍ବର ପାନ ନମ୍ବର ଅଛି,
ଫୋନ ନମ୍ବର ବ୍ୟାଙ୍କ ନମ୍ବର ମନେ ରହୁନାହିଁ କିଛି ।
ଗାଡ଼ିର ନମ୍ବର ବ୍ଳାଉଜ ନମ୍ବର ଦୋକାନୀ ରଖିଛି ମନେ,
ଟିଭିର ଚାର୍ଜ କାର୍ଡ଼ ନମ୍ବର କମ୍ପାନୀ ପିଲାଟା ଜାଣେ ।
ଟଙ୍କା ଉଠେଇବା ଖାତାର ନମ୍ବର ମେନେଜର ଦିଏ ଲେଖି,
ପିନ ନମ୍ବର ଲେଖିବାକୁ ମନା ତାକୁ ଟିପେ ଖାତା ଦେଖି ।
ଗ୍ୟାସ ନମ୍ବର ଭୁଲିଯାଇ ଥରେ ହଟହଟା ହେଇଥିଲି,
ବିଜୁଳି ବାଲାଙ୍କ ଗ୍ରାହକ ନମ୍ବର ମିଟରରେ ଲେଖିଦେଲି ।
ମାସ ନ ପୂରୁଣୁ ପାଣିବାଲା ଆସି ବିଲ ନମ୍ବର ମାଗେ,
ଖାତା ନ ମିଳିଲେ ମନେ ନ ପଡ଼ିଲେ ଘରଣୀ ଉପରେ ରାଗେ ।
ରାତି ପାହିବାଠୁଁ ଶୋଇବା ଯାଏ ମୁଁ ନମ୍ବର ମୁଖସ୍ଥ କରେ,
ଅସଲ ବେଳକୁ ମନେ ପଡ଼େନାହିଁ ନମ୍ବରକୁ ଭାରି ଡରେ ।