ମହାଯାତ୍ରା
ମହାଯାତ୍ରା
ହସ୍ତିନାପୁରର ସିଂହାସନ ଭାର ନେଲେ ନାତି ପରୀକ୍ଷିତ,
ଅବଶ ଶରୀର ଭଙ୍ଗାମନ ନେଇ ଯାତ୍ରାକଲେ ପାଣ୍ଡୁପୁତ୍ର |
ଯାତ୍ରା ନୁହେଁ ସିଏ ସ୍ୱର୍ଗଯାତ୍ରା ଥିଲା ଦ୍ରୌପଦୀ ବି ସାଥେ ଥିଲେ,
ଶେଷଯାତ୍ରା ପାଇଁ ହିମାଳୟ ଶୃଙ୍ଗ ଚଢ଼ିବାକୁ ବାହାରିଲେ |
ବିଶ୍ୱସ୍ତ କୁକୁର ବାଟ କଢ଼େଇଲା ଆଗେ ଥିଲେ ଯୁଧିଷ୍ଠିର,
ତାଙ୍କୁ ଅନୁସରି ଚାଲୁଥିଲେ ପଛେ ଅର୍ଜୁନ ମହାବୀର |
ଗଦାଧାରୀ ଭୀମ ନକୁଳ ସହିତ ସହଦେଵ ଚାଲୁଥିଲେ,
ସବୁଠୁ ପଛରେ ସୁକୁମାରୀ ରାଣୀ ଦ୍ରୌପଦୀ ରହିଥିଲେ |
ପଥଶ୍ରାନ୍ତ କ୍ଲାନ୍ତହୋଇ ଦ୍ରୌପଦୀ ପଡ଼ିଗଲେ ପର୍ବତରୁ,
ଭୀମ ଡାକଦେଇ କହିଲେ-ଅଗ୍ରଜ ରକ୍ଷାକର ବିପଦରୁ |
ଯୁଧିଷ୍ଠିର ବଡ଼ନିଷ୍ଠୁର ପଣରେ କହିଲେ-ଆଗେଇ ଚାଲ,
ମହାଯାତ୍ରା ବେଳେ ଐଶ୍ୱର୍ଯ୍ୟ ପ୍ରତୀକ ଦ୍ରୌପଦୀ ନଥିଲେ ଭଲ |
ଦ୍ଵିତୀୟରେ ସହଦେଵ ପଡ଼ିଗଲେ ଚମକି ପଡ଼ିଲେ ଭୀମ,
ଭବିଷ୍ୟତ ଦାତା ଚାଲିଗଲା ଦେଖ ଆମ ଭାଗ୍ୟ ହେଲା ବାମ |
ଯୁଧିଷ୍ଠିର ପୁଣି ବୁଝାଇ କହିଲେ-ଭବିଷ୍ୟତ ଲୋଡ଼ାନାହିଁ,
ନିଜବଳ ବୁଦ୍ଧି ବିବେକ ଲଗାଇ ଆଗେଇ ଚାଲରେ ଭାଇ |
କିଛିକ୍ଷଣ ପରେ ନକୁଳ ପଡ଼ିଲେ ସୌନ୍ଦର୍ଯ୍ୟ ପ୍ରତୀକ ସିଏ,
ଯୁଧିଷ୍ଠିର ଚାହିଁ କହିଲେ- ଆମର ସୌନ୍ଦର୍ଯ୍ୟ ଦେଖିବ କିଏ ?
ଗାଣ୍ଡିବଧାରୀଙ୍କ ପାଳି ପଡ଼ିଗଲା ସିଏ ବି ପଡ଼ିଲେ ଢଳି,
ବିଜୟ ପ୍ରତୀକ ହାଋ ମାନିଗଲେ ଭୀମ ଦୁଃଖ ଗଲାବଳି |
ଯୁଧିଷ୍ଠିର ପୁଣି କହିଲେ- ବିଜୟ ଆଉ ଲୋଡ଼ାହେବ ନାହିଁ,
ଅର୍ଜୁନକୁ ଛାଡ଼ି ମୋର ସାଥେ ଆସ ନିଜ ଶକ୍ତିକୁ ଜଗାଇ |
ଶେଷରେ ପଡ଼ିଲେ ମହାବଳି ଭୀମ ଶକ୍ତିର ପ୍ରତୀକ ଭାଇ,
ଚାହିଁ ଯୁଧିଷ୍ଠିର ଭାବିଲେ ଶେଷରେ ଶକ୍ତିକୁ ଦେଲି ହରାଇ |
ଏକା ଏକା ଧର୍ମପୁତ୍ର ଯୁଧିଷ୍ଠିର ସ୍ୱର୍ଗଯାତ୍ରା କରୁଥିଲେ,
ଐଶ୍ୱର୍ଯ୍ୟ ସୌନ୍ଦର୍ଯ୍ୟ ଶକ୍ତି ବିଜୟକୁ ଧୀରେଧୀରେ ତ୍ୟାଗକଲେ |
ପ୍ରତ୍ୟେକ ମଣିଷ ସ୍ୱର୍ଗଯାତ୍ରା ବେଳେ ଆଗ ହରାଏ ଐଶ୍ୱର୍ଯ୍ୟ,
ଭବିଷ୍ୟତ ଚିନ୍ତା ନଥାଏ ମନରେ ତାପରେ ଛାଡ଼େ ସୌନ୍ଦର୍ଯ୍ୟ |
ବିଜୟ ଲାଳସା ରହେନାହିଁ ଆଉ ଶକ୍ତିକୁ ହରାଇ ଦିଏ,
ସ୍ୱର୍ଗଯାତ୍ରୀ ଆତ୍ମା ଯୁଧିଷ୍ଠିର ପରି ଏକା ଏକା ଚାଲିଯାଏ |
ଧନ-ରତ୍ନ ସୁଖ ସଂପଦ ସଭିଙ୍କୁ କବଳିତ କରିଥାଏ,
ଭବିଷ୍ୟତ ଚିନ୍ତା ଘାରିଥାଏ ମନେ ରୂପକୁ ସଜେଇ ହୁଏ |
ବିଜୟ ପଥରେ ଜୀବନ ରଥକୁ ଆଗକୁ ଗଡ଼େଇ ଯାଏ,
ବାହୁବଳ ଶକ୍ତି ଦେଖାଇ କ୍ଷମତା କରଗତ କରିନିଏ |
ଆତ୍ମା ଧର୍ମପୁତ୍ର ଆସକ୍ତି ବିହୀନ ପରମାତ୍ମା କୋଳଚାହେଁ,
ସ୍ୱର୍ଗଯାତ୍ରା ବେଳେ କହେ-ଯାହା ଥିଲା ସେସବୁ ଆମର ନୁହେଁ |