STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ରଥରେ ବାମନ

ରଥରେ ବାମନ

2 mins
47


ଦୋଳ ବିମାନରେ ଦୋଳ ଗୋବିନ୍ଦ

ଚାପେଶ୍ଚ ମଧୁସୂଦନ

ରଥାରୂଢ଼ ପ୍ରଭୁ ବାମନ ଦର୍ଶନେ

ପୁନର୍ଜନ୍ମ ନାହିଁ ପୁଣ

ବାମନ ରୂପେ ବିଷ୍ଣୁଙ୍କର ଅବତାର

ଲୀଳା ଥିଲା ତିନି ପୁରେ 

ଅନ୍ୟ ଅବତାର କେବଳ ସୀମିତ

ମାତ୍ର ମର୍ତ୍ତ୍ୟ ମଣ୍ଡଳରେ

ଭିନ୍ନ ମତବାଦ ଅନୁସାରେ ଉକ୍ତି

ଦେହ ରୂପକ ରଥରେ

କ୍ଷୁଦ୍ର କାୟ ବିଶ୍ଵ ସତ୍ତା ଅନୁଭବ

ପ୍ରାୟତଃ ନିଗୂଢ଼ ଅର୍ଥରେ


ମଣିଷ ଶରୀର ଏକ ରଥ ସମ

ଆତ୍ମା ଶରୀର ଭିତରେ

ଇନ୍ଦ୍ରିୟ ରୂପକ ଅଶ୍ଵ ଟାଣୁଛନ୍ତି

ଲଗାମ ବୁଦ୍ଧି ହାତରେ

ଶରୀର ରଥରେ ଆତ୍ମା ଆରୋହଣ

ଯାତ୍ରା ସଂସାର ପଥରେ

ନନ୍ଦିଘୋଷ ରଥେ ପ୍ରଭୁ ଜଗନ୍ନାଥ

ଯାତ୍ରା ବି ବଡ ଦାଣ୍ଡରେ

ଶରୀରର ନାମ କରଣ ଯେପରି

ତିନି ରଥ ତିନି ନାମ

ବିଭିନ୍ନ ଅଙ୍ଗର ନାମ ଯେଉଁ ପରି

ରଥ ଭାଗର ବି ନାମ

ମଣିଷ ଦେହରେ ହାଡ ରହିଅଛି

ରଥ କାଠରେ ତିଆରି

ମଣିଷର ନିଜ ଉଚ୍ଚତା ଯେପରି

ରଥେ ଉଚ୍ଚତା ସେପରି

ମଣିଷ ଶରୀର ଚର୍ମ ଆଚ୍ଛାଦିତ

ରଥ ଭିନ୍ନ କନା ଦ୍ଵାରା 

ଭିନ୍ନ ରଙ୍ଗ କନା ରଥ ଦେହେ ଲାଗେ

ରହିଅଛି ପରମ୍ପରା

ଗୋଟିଏ କଳ୍ପରେ ମଣିଷର ଆତ୍ମା

ଜନ୍ମ ହୁଏ ବାରମ୍ବାର

ଚଉରାଅଶି ଥର ନୂଆ ଶରୀରେ

ଜନ୍ମେ ଆତ୍ମା ମଣିଷର

ପ୍ରତିବର୍ଷ ରଥ ନିର୍ମାଣ ହେଉଛି

ନୂଆ କାଠ ବ୍ୟବହାର

ବିଗ୍ରହଙ୍କ ନବ କଳେବର ବେଳେ

ପୁଣି ନୂତନ ଶରୀର 

ମଣିଷର ଗୋଡ ରହିଛି ଯେପରି

ରଥ ଦେହେ ଅଛି ଚକ 

ଶରୀର ସହିତ ରଥର ତୁଳନା

ଭାବ ସହିତ ଉଦ୍ରେକ


ପ୍ରଭୁଙ୍କର ଷୋଳ କଳା ସହିତରେ

ରଥ ଚକ ବୟାଳିଶି

ଚଉଦ ଭୁବନ ବାର ରାଶି ମିଶି

ସମଷ୍ଟି ଚଉରାଅଶି 

ଭଉଁରୀ ଯାତ ସହ ଚଉରାଅଶି

ଅଙ୍କର ଅଛି ମହତ୍ତ୍ଵ

ଚଉରାଅଶି ଘେରା ଚାପ ଖେଳ ହୁଏ

ଭ୍ରମଣ ନୌକା ସହିତ

ରଥଯାତ୍ରା ବି ଚଉରାଅଶି ଚକ 

ଗୁଣ୍ଡିଚା ବାହୁଡ଼ା ମିଶି

ମଣିଷର ନିଜ ହାତରେ ଉଚ୍ଚତା

ଅଙ୍ଗୁଳି ଚଉରାଅଶି 

ଚଉରାଅଶି ଘେରା ଭଉଁରୀ ଯାତ୍ରା

ଦର୍ଶନ କରିଲେ ଭକ୍ତ

ଚଉରାଅଶି ଆଙ୍ଗୁଳି ର ମଣିଷ

ଯୋନି ଜନମ ରୁ ମୁକ୍ତ


ମଣିଷ ଦେହରେ କୁଣ୍ଡଳିନୀ ଶକ୍ତି

ଯେପରି ଅଛି ଜାଗ୍ରତ

ବିମଳା,କ୍ଳେଶ ଭଦ୍ରା ଓ ଚନ୍ଦ୍ର ଘଣ୍ଟା

ତିନି ରଥରେ ସଂଯୁକ୍ତ

ଆତ୍ମା ଏବଂ ଶରୀର ତତ୍ତ୍ଵ ସହିତ

ରଥର ପରିକଳ୍ପନା

ରଥ ଯାତ୍ରା ସହ ଜୀବନ ଜଡ଼ିତ

ଜ୍ଞାନୀ ଙ୍କୁ ସହଜେ ଜଣା


କୋଇଲି ବୈକୁଣ୍ଠ ଅପେକ୍ଷା କରିଛି

ପାତାଳୀ ହେବେ ବିଗ୍ରହ

କିଛି ଦିନ ଖେଳା ଲୀଳା ସଂସାରରେ

ଶେଷରେ ଶ୍ମଶାନ ଥୟ

ଜୀବନ ନାଟକେ ଶେଷ ଦୃଶ୍ୟ ପରେ

ମଞ୍ଚ ଅନ୍ଧାର ହୋଇବ

ଅଭିନୟ ପ୍ରତି ପ୍ରଶଂସା ର ସୁଅ 

ସେଇଠି ଅଟକି ଯିବ 

ଜୀବ ପ୍ରତି ଦୟା ନାମରେ ବିଶ୍ୱାସ

ପରୋପକାର ସେବାରେ

ଉତ୍ସର୍ଗୀତ ହେଉ କ୍ଷଣିକ ଜୀବନ

ମାନବିକତାର ଧାରେ 

ରଥ ପଥ ଜଗନ୍ନାଥ ର ରହସ୍ୟ

ଜୀବନ ସହ ଜଡ଼ିତ

ଜୀବନ ରୂପକ ରଥ ଯାତ୍ରା ପଥେ

ଶେଷ ପଥ ଜଗନ୍ନାଥ 

ଶରୀର ରଥରେ ଆତ୍ମା ହିଁ ବାମନ

ଦେଖ ଚିନ୍ତା ଚେତନାରେ

ରଥ ପଥ ଜଗନ୍ନାଥ ର ରହସ୍ୟ

ସଦା ରହୁ ହୃଦୟରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics