ବେଳହୁଁ ଗୋବିନ୍ଦ ସୁମର
ବେଳହୁଁ ଗୋବିନ୍ଦ ସୁମର
ଜନମ ମରଣ ମଝିରେ ଜୀବନ
ଏ ଗୋଟେ ପରୀକ୍ଷା ଗାର
ସବୁ ଦେଇ ପ୍ରଭୁ ସଂସାରେ ଛାଡ଼ିଲେ
ବୁଝିବା ତାଙ୍କ ବିଚ଼ାର ।
ମାତା ଗର୍ଭେ ଥାଇ ଜୋଡ଼ ହସ୍ତ ହୋଇ
ଗୋବିନ୍ଦ ଙ୍କ ସୁମରଣା
ଭୂମିରେ ପଡ଼ିଲା ଉତ୍ତାରେ କାହିଁକି
ହେଉଛୁ ରେ ବାଟବଣା ।
ଧନ୍ ଦାରା, ସୁତ ରୂପ ବହଭବ
ସବୁ ସବୁ ପରିବର୍ତ୍ତନୀୟ
ଆସ୍ୱାସ୍ବରୂପ କୁ ଚିହ୍ନି ନେ ରେ ମନ
ଦୁନିଆ ଗୋବିନ୍ଦ ମୟ ।
ସର୍ବ ମୟ ପରା ସେ ପରମପିତା
ଗୋବିନ୍ଦ ମଧୁସୂଦନ
ବେଳ ଥାଉଁ ଥାଉଁ ଗୋବିନ୍ଦ ସୁମରି
ଧନ୍ୟ କର ଏ ଜୀବନ ।
ବେଳ ହୁଁ ଗୋବିନ୍ଦ ସୁମର ରେ ମନ
ଜୀବନ ସାର ବୁଝିବୁ
ଜୀବନର ଲକ୍ଷ୍ୟ ସରଳ ହୋଇବ
ଶାନ୍ତି ମନ୍ଦିରେ ବସିବୁ ।
ବେଳ ହୁଁ ଗୋବିନ୍ଦ ସୁମର ରେ ମନ
କର୍ମ ଯୋଗ ସିଦ୍ଧ କର
ସୁଖେ ଦୁଃଖେ ହେବୁ ସମ ଭାବାପନ୍ନ
ନ ଥିବ ସମସ୍ୟା ଡର ।
ବେଳ ହୁଁ ଗୋବିନ୍ଦ ସୁମର ବାଇଆ
ବିପଦେ ମିଳିବ ଧୈର୍ଯ୍ୟ
ପ୍ରାରବ୍ଧ ଭୋଗିବା ସାହସ ମିଳିବ
ଗୋବିନ୍ଦ ହେଲେ ସ୍ୱୀକାର୍ଯ୍ୟ ।
ପଞ୍ଚଭୂତ ଏଇ ଜୀବନ ର ସୃଷ୍ଟି
ପଞ୍ଚ ତତ୍ତ୍ଵ ସମାହାର
ଷଡ଼ ରିପୂ ଠାରୁ ଦୂରରେ ରହି ତୁ
ବେଳୁ ଗୋବିନ୍ଦ ସୁମର ।
ଜୀବନ ର କଥା କିଏ ବା ଜାଣିଛି
ଏଇ ଅଛି ଏଇ ନାଇଁ
ଗୋବିନ୍ଦ ସୁମରି ସ୍ୱଧର୍ମ ଆଚରି
ପାରି ହୁଅ ଏଇ ନଈ ।
ବେଳ ଥାଉଁ ଥାଉଁ ଗୋବିନ୍ଦ ନାମର
ମକରନ୍ଦ ପାନ କରି
ଭବ ବାଧା ସବୁ ଦୂର ହୋଇଯିବ
ଜପ ଗୋବିନ୍ଦ ଶ୍ରୀହରି ।
ଜୀବନ ଜାତକେ ଧରମ କାଳିରେ
ଲେଖି ଦେ କର୍ମର ଗାଥା
ଗୋବିନ୍ଦ ସୁମରି ମାନବତା ମନ୍ତ୍ର
ଉଚ୍ଚାରି କାଟିଦେ ବ୍ୟଥା ।
ଏ ଭବ ଭୂମିରେ କର୍ତ୍ତବ୍ୟ କଲ୍ଲୋଳେ
ନିଇତି ଗାଧଉ ଥାଆ
ଗୋବିନ୍ଦ ନାମକୁ ହୃଦେ ଲେଖି ଦେଇ
ସନ୍ତୋଷ ର ଗୀତ ଗାଆ।
ଗୋବିନ୍ଦ ନାମକୁ ହୃଦରେ ସ୍ଥାପି ତୁ
ପ୍ରେମୀଟିଏ ହୋଇ ଯାଅ
ଏ ଜଗତ ହେଉ ତୋହର କୁଟୁମ୍ବ
ପ୍ରୀତିର ସଂଗୀତ ଗାଆ ।
ବେଳ ଥାଉଁ ବାବୁ ଗୋବିନ୍ଦ ସୁମର
ଫିଟିବ ଭବ ବନ୍ଧନ
ମୋକ୍ଷ ଦ୍ଵାର ପରା ଉନ୍ମୁକ୍ତ ହୋଇବ
ଭେଟିବୁ ମଧୁସୂଦନ ।
ଗୋବିନ୍ଦ ଦୀକ୍ଷା ରେ ସଂସ୍କାରିତ ହୋଇ
ମହକ ବିତରି ଯାଆ
ଯେତେ ଦିନ ମନ ଏ ଭବେ ଅଛୁରେ
ଆନନ୍ଦ ତୁ ବାଣ୍ଟୁ ଥାଆ ।
ଗୋବିନ୍ଦ ନାମରେ ଭରା ମାଦକତା
ପ୍ରେମ ମୋତି ଛଳ ଛଳ
ଗୋବିନ୍ଦ ନାମ ତ ଅମୋଘ ଅସ୍ତ୍ରଟେ
ବିପଦେ ଦିଅଇ ବଳ |
ଗୋବିନ୍ଦ ନାମ ଗଢ଼ି ହୋଇଯାଏ
ସୁନ୍ଦର ଶାନ୍ତି ନିଳୟ
ତେଣୁ ବାଇମନ ବେଳ ହୁଁ ସୁମର
ଗୋବିନ୍ଦ ଦେବେ ଆଶ୍ରୟ ।
ନିଃଶ୍ୱାସରେ ତୋର ବିଶ୍ୱାସ ଭରି ଦେ
ଗୋବିନ୍ଦ ସାଥି କରି ଦେ
ଅପୂର୍ବ ଛନ୍ଦରେ ଜୀବନ ବିତିବ
ସ୍ରଷ୍ଟା ସୃଷ୍ଟି କୁ ମୋହି ଦେ |
ଗୋବିନ୍ଦ ନାମରେ ବ୍ୟଥା କଟି ଥାଏ
ସମସ୍ୟାରେ ପଥ ଖୋଲେ
ମନ ହୋଇଯାଏ ପ୍ରେମ ବୃନ୍ଦାବନ
ଗୋବିନ୍ଦ ହୃଦେ ବସିଲେ ।
ବେଳ ହୁଁ ସୁମର ଗୋବିନ୍ଦ ମୁରାରୀ
ଜୀବନ ହେବ ସଫଳ
ଶାନ୍ତି ର କପୋତ ବାସ କରିବ ରେ
ମନ ହେବ ସୁଚୀ ଶୀଳ ।
ଆତ୍ମାରାମ ସଙ୍ଗେ ଗୋବିନ୍ଦ ମିଳନ
ଦେହ ମନ ପୂତ ହେବ
ସର୍ବ ଜନ ମନେ ଶାନ୍ତି ସ୍ଫୁରଣର
ସେତୁ ଟିଏ ବନି ଯିବ ।
