STORYMIRROR

Snigdha Panda

Abstract Classics Inspirational

3  

Snigdha Panda

Abstract Classics Inspirational

କ୍ଷେତ ଆଉ ଭାତ

କ୍ଷେତ ଆଉ ଭାତ

1 min
109

ସାମ୍ନାରେ ହସୁଥିବା କ୍ଷେତ

ବେଲାରେ ଭାତ 

ଏତିକିରେ ଶହେ ଜନ୍ମର ଖୁସି

ଅୟୁତେ ନିର୍ବାଣ 

ଆକାଶର ରଙ୍ଗ ଆଉ କାଦୁଅର ବାସ୍ନା ଛଡ଼ା

ଆଉ କିଛି ମନେ ରହେ ନା 

ଜୀବନର ନାଆକୁ 

ଠେଲି ଠେଲି ନେଲା ବେଳେ 

ବେଳ ଅବେଳରେ 

କିଏ ସୁଅ କିଏ କୂଳ ଚିହ୍ନେ ନା ॥


ଏବେ କାଳେ ବିକ୍ରି ହୁଏ ଖୁସି

ବ୍ୟାଙ୍କ ଖାତାରେ ଋଣ ନାଆଁରେ 

କେତେଥର ଭାବିଲାଣି କିଣି ଆଣିବ ବୋଲି 

କଣ ପାଇଁ କେଜାଣି 

ଛ ମାଣ ଆଠ ଗୁଣ୍ଠ ଅନାଏ ଲୁହ ଡବ ଡବ ଆଖିରେ

ସାରିଆର ଖୋଲୁ ନ ଥିବା ପାଟି

ମେଲା ହୋଇଯାଏ ଭୟରେ 

ସେଇମାନେ ହିଁ ପଛକୁ ଟାଣନ୍ତି 

ସେ ଦଣ୍ଡେ ଠିଆ ହୁଏ 

ଲୋଭନୀୟ ବିଜ୍ଞାପନକୁ ଅନେଇ 

ତା ପରେ ଫେରିଆସେ ଲମ୍ବା ଦୀର୍ଘ ଶ୍ଵାସରେ ଭାରା ଦେଇ ॥


ପୁଣି କେବେ ଶୁଣେ

ଆନ୍ଧ୍ର କି ତାମିଲନାଡୁରେ

ଟଙ୍କା ତିଆରି ହୁଏ ଇଟାଭାଟିରେ 

ମନୁଆ ଯାଇଥିଲା ଆର ସନ

ଏବେ ଫେରିଛି 

ନୂଆ ମଟରସାଇକେଲ୍‌ ରେ 

ତାକୁ ମାଗିଛି ଆଧାର କାର୍ଡ

ଟିକଟ କରି ଏ ଥର ନେଇ ଯିବ ସାଙ୍ଗରେ 

କଣ ପାଇଁ କେଜାଣି

ଦବ ବୋଲି ଟ୍ରଙ୍କ ଖୋଲିବା ବେଳକୁ 

ହଳଦିଆ ପଡି ଆସିଥିବା 

ପୁରୁଣା ପାଉତି ସବୁ ତା ହାତକୁ ଜାବୁଡ଼ି ଧରନ୍ତି

ଦି' ବର୍ଷ ହେଲା ସ୍କୁଲ ଯାଉଥିବା ଝିଅର କଥା

ମନ୍ତ୍ର ପରି ଶୁଭେ

ବାପା, ମୁଁ ଏଥିରେ ଫାଷ୍ଟ ହେଇଛି 

ତରତରରେ ତାକୁ ଛାତିରେ ଜାକିନେଲାବେଳକୁ 

ଆପେ ଆପେ ଯେମିତି ଟ୍ରଙ୍କ ବନ୍ଦ ହେଇଯାଇଥାଏ

କ୍ଷେତ ଆଉ ଭାତ

ଭାତ ଆଉ କ୍ଷେତ 

ତାରି ଭିତରେ ନିଜକୁ ସଜାଡି ନିଏ 

ନା ଋଣ ନା ଦାଦନ 

କେହି ତାକୁ ଭୁଲେଇ ପାରେ ନା

କି ସେ ଭୁଲିବାକୁ ଚାହେଁ ନା ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract