ବର୍ଷା କାଳ
ବର୍ଷା କାଳ
ରସାକୁ-ସରସା କରାଇ ବରଷା
ଭରସା ସଂଯୋଗ କଲା,
ପ୍ରତି ପ୍ରାଣେ ପ୍ରାଣେ ପୁଲକ-ପ୍ରବାହ
ପ୍ରୀତିଭରେ ଖେଳାଇଲା ।।
ଧୂସର-ବରନା ଧରଣୀ-ଧାରଣ
କଲା ନବ-କଳେବର,
ସବୁଜ-ଶ୍ଯାମଳ ସୁଷମା-ସମ୍ଭାର
ସୃଜିଲାକି ଜଳଧର ।।
ଆକାଶ-ଅଙ୍ଗନେ ଅଭ୍ରଖଣ୍ଡ ମାନ
ଆନନ୍ଦେ କଲେ ବିହାର,
ପ୍ରକୃତିକି ପ୍ରୀତି ପ୍ରଣୟ-ଝଙ୍କାର
ପ୍ରଲୁବ୍ଧେ ଭାବ ବିହ୍ବଳ ।।
ନବ-ନୀରଦର ନିରୀମଳ ନୀର
ନିଗିଡ଼ି ପଡ଼େ ନଭରୁ,
ଚ଼ପଳା ଚ଼ପଳ ଛନ୍ଦ ତୋଳି ଆହା
ଦିଶଇ କେଡ଼େ ସୂଚାରୁ।।
ନବ-ପଲ୍ଲବିତ ପ୍ରସୂନ-ଶୋଭିତ
ପାଦପ-ବ୍ରତତୀ ମାନ,
ଅନନ୍ୟ ମୁଦ୍ରାରେ ଅନନ୍ତ-ପୟରେ
ଅର୍ପନ୍ତି ଭକ୍ତି-ସୁମନ।।
ବରଷା-ବଧୂର ନୂପୁର-ନିକ୍ବଣ
ଶୁଭେ ଛମ୍ ଛମ୍ ଛମ୍,
ଅୟୂତ ଯୁଗର ସପନ ଭରଇ
ନିପୁଣା ନର୍ତ୍ତକୀ ସମ।।
ରଇତ-କଣ୍ଠରୁ ରାଗ-ରାମକେରୀ
ଗୀତର ଝଙ୍କାର ଶୁଭେ,
ନିର୍ମୋକ-ନିର୍ମୋକୀ ନବ ଉଲ୍ଲାସରେ
ହୁଳହୁଳି ଦ୍ୟନ୍ତି ଦମ୍ଭେ।।
