STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ପତିତପାବନ ବାନା

ପତିତପାବନ ବାନା

2 mins
25


ନୀଳଚକ୍ରରେ ଉଡୁଥିବା ଧ୍ଵଜା ନାମିତ

ପତିତପାବନ ବାନା ନାମେ

ଭକ୍ତି ଭରା ପ୍ରାଣ ଦେଖୁ ଦେଖୁ ଦୂରେ ଥାଇ

ସେହି ବାନାକୁ ହୃଦେ ପ୍ରଣମେ 

ପତିତପାବନ ବାନା ସମ୍ପର୍କରେ ତଥ୍ୟ

ଅତି ଗୁରୁତ୍ଵ କରେ ବହନ

ନୀଳଚକ୍ରେ ଧ୍ଵଜା ବିନା ଶ୍ରୀଜଗନ୍ନାଥଙ୍କୁ

ଭୋଗ ଆଦୌ ହୁଏନି ଅର୍ପଣ 

ଶ୍ରୀମନ୍ଦିରେ ଯଦି ଭିନ୍ନ କାରଣ ବଶତଃ 

ଶ୍ରୀଜିଉଙ୍କୁ ଲାଗି ନୁହେଁ ଭୋଗ

ନୀଳଚକ୍ର ଉଦ୍ଦେଶ୍ୟରେ ଭୋଗ ସମର୍ପିତ

ଚକ୍ର ମଣୋହି ନାମ ସେ ଭୋଗ

ପ୍ରତିଦିନ ନୂଆ ବାନା ଲାଗି ହେବା ବିଧି

ନିଷ୍ଠା ସହିତ ହୁଏ ପାଳନ

ଶ୍ରୀଜଗନ୍ନାଥଙ୍କ ବିକଳ୍ପ ଭାବରେ ଭବ୍ୟ

ନୀଳଚକ୍ର-ପତିତପାବନ

ନୀଳଚକ୍ର ସ୍ଥିରତାର ପ୍ରତୀକ ରୂପରେ

ପ୍ରାୟ ଆଧ୍ୟାତ୍ମିକ ଭାବ ଧାରେ

ପତିତ ପାବନ ବାନା ସକ୍ରିୟତାର ଚିହ୍ନ

ସମୁଚିତ ପରିକଳ୍ପନାରେ

ପତିତପାବନ ବାନା ନାଲି ହଳଦିଆ

ଆଉ ଧଳା ରଙ୍ଗ କନା ଲାଗେ

ଚଉଦ ହାତର ଲମ୍ୱ ଅଟେ ସେହି ବାନା

ଶ୍ଵେତ ଚନ୍ଦ୍ର ବିନ୍ଦୁ ମଧ୍ୟ ଭାଗେ 

ସୂର୍ଯ୍ୟ ଚନ୍ଦ୍ର ପତିତପାବନ ବାନାରେ 

ନାଦ ବିନ୍ଦୁ ବି ମଧ୍ୟ ଭାଗରେ 

ଶ୍ରୀମନ୍ଦିର ନୀତି ବିଧି ବିଧାନ ରହିଛି

ଚକ୍ର-ଧ୍ଵଜା ପରିଚାଳନାରେ

କଥା ଧାରେ ମୃତ ଚଣ୍ଡାଳ ପାବନ 

ସାଥେ ପୁତ୍ର ପତିତର

ପତାକା ପାଲଟି ଗଲେ ବାପ ପୁଅ 

କୃପା ଜଗନ୍ନାଥଙ୍କର


ପତିତପାବନ ରୂପେ ସ୍ଵୟଂ ଜଗନ୍ନାଥ

ନୀଳଚକ୍ରେ ଉଡ଼ୁଅଛି ବାନା 

ସେହି ପତିତପାବନ ବାନା ଦୃଶ୍ୟମାନ

ଦର୍ଶନରେ ମୁକ୍ତି ସମ୍ଭାବନା 

ରତ୍ନ ସିଂହାସନେ ବିଜେ ସ୍ଵୟଂ ଦାରୁବ୍ରହ୍ମ

ଭବ୍ୟ ଦାରୁ ବିଗ୍ରହ ରୂପରେ

ପୁଣି ପତିତପାବନ ବିଗ୍ରହ ନାମରେ

ବିରାଜିତ ସିଂହ ଦୁଆର ରେ

ନିହାତି ରହସ୍ୟ ତଥ୍ୟ ରହିଛି ନିହିତ

ସେହି ପତିତପାବନ ନାମେ

ଲୀଳାମୟ ଠାକୁରଙ୍କ ଲୀଳା ଖେଳା ସବୁ

ମାତ୍ର ପତିତ ଉଦ୍ଧାର ମର୍ମେ

ନିମ୍ନ-ଗାମୀ, ନୀଚ ,ହୀନ ମୂଢ଼-ମତି ଭକ୍ତ

ଅଥବା ଅନ୍ୟ ବିଧର୍ମୀ ଭକ୍ତ

ଯେବେ ମନ୍ଦିର ଭିତରେ ନ ପାରେ ପ୍ରବେଶି

ଦ୍ଵାର ଦେଶେ ଥାଇ ପ୍ରଣିପାତ


ସୁଖ ସମୟରେ କିଏ ବା କିମ୍ପା ଡାକିବ

ମୋହ ମାୟାରେ ଭ୍ରମଇ ମନ

ଦୁଃଖ ସମୟରେ ପତିତପାବନ ନାମ

ଆପେ ଆସୁଛି ମନକୁ ମନ

ମନ୍ଦ କାମ କଲା ବେଳେ ମନରେ ଗରବ

ମନ୍ଦ କାମ ଦେଖୁନାହିଁ କେହି

କ୍ଷଣିକ ର ସୁଖ ପାଇଁ ପାପ ପୁର୍ଣ୍ଣ କଥା 

ପାପୀ ଭାବେ କେହି ଶୁଣୁ ନାହିଁ ।

ଦୁଃଖ ବିପଦ ଯେବେ ବି ହୁଅଇ ଦାରୁଣ

ମନେ ପଡେ ମନ୍ଦିର ଦୁଆର

ମନେ ମନେ ଦୁଃଖ ଜଣାଇ ଗୁହାରି କରେ

ଏ ପତିତ ର ଦୁଃଖ ଦୂର କର ।

ଦୁଃଖ ପରା ଶୁଣୁଛନ୍ତି ପତିତପାବନ

ସବୁ ଦୁଃଖ ନିଶ୍ଚେ ହେବ ଦୂର

ସୁଖେ ଭୁଲି ଦୁଃଖରେ ଗୁହାରି କରୁଛି

ଏଇ ଅଧମ ପତିତ ପାମର।

ପତିତପାବନ ଚାହିଁ ଜଣାଉଛି ଦୁଃଖ

କୃପା କରି ହୁଅ ମନ-ମିତ 

ପତିତ ଉଦ୍ଧାର ପାଇଁ ଏ କଳି କାଳରେ

ରତ୍ନ ସିଂହାସନେ ବିରାଜିତ।

ଏ କଳି ଯୁଗର ପାପୀ ପତିତ ମାନଙ୍କୁ

ରକ୍ଷାକର ପ୍ରଭୁ ଜଗନ୍ନାଥ 

ପତିତପାବନ ବାନା ଉଡୁ ଥାଉ ସଦା 

ପୂର୍ଣ୍ଣ ହେଉ ଭକ୍ତ ମନୋରଥ ।



Rate this content
Log in

Similar oriya poem from Abstract