ତରୁଣ
ତରୁଣ
ଆମେରେ ତରୁଣ, ନିଇତି ଫଗୁଣ
ତନୁବନ ଆମ ଛୁଉଁଛି
ଚଇତି ପବନ ଫୁଲର କାହାଣୀ
କାନେ କାନେ ଆମ କହୁଛି ।
ସୂରୁଯକୁ ଆମ ଛୁଇଁବାକୁ ମନ
ଜୋଛନାରେ ଆମେ ଝୁମୁଛୁ
ଉତ୍ତାଳ ତରଙ୍ଗ ରଙ୍ଗ ମାପିବାକୁ
ସାଗର ବୁକୁରେ ହଜୁଛୁ ।
କଣ୍ଟାକୁ କହୁଛୁ ଆମ ମନକଥା
ଝାଞ୍ଜି ସାଥେ ମିତ ବସିଛୁ
ଦୁର୍ଗମ ପଥରେ ପାଦ ରଖି ଆମେ
ହୃଦୟର ଗୀତ ଲେଖିଛୁ ।
ଅସାଧ୍ୟ ବୋଲିତ ଜାଣିନାହୁଁ କିଛି
ଧୈର୍ଯ୍ୟର ପରିଧି ମାପିଛୁ
ଜିତିବାର ଆମ ଦୁର୍ବାର ଲକ୍ଷ
ସ୍ବପ୍ନରେ ନିତି ଭାସୁଛୁ ।
ନରମ ସକାଳ ଆମପାଇଁ ନିତି
ଲାଜର ଗହଣା ପିନ୍ଧୁଛି
ନିତି ନୂଆ ଆଶା ମନରେ ଆମର
ଲୁଚିଲୁଚି ବସା ବାନ୍ଧୁଛି ।
