ନଈ
ନଈ
ନଦୀରେ ନଦୀରେ ତୁ କେତେ ସୁନ୍ଦର
ସୃଷ୍ଟି ତୁ ଜଗତ ପାଇଁ
ଉଚ୍ଚ ପରବତୁ ଝରି ପଡୁ ଥାଉ
ଟିକିଏ ଗରବ ନାହିଁ ।
ମୋ ବାଟରେ ଯଦି କଣ୍ଟା ଖୁଣ୍ଟା ଆସେ
ଲୁହରେ ଭରେ ମୋ ଆଖି
କିପରି ତୁହି ରେ ପାରି କରି ଯାଉ
କଣ୍ଟା ଦ୍ରୁମ ଗିରି ଦେଖି ।
ଦୁଃଖରେ ପଡ଼ିଲେ ଭାଙ୍ଗି ପଡି ଯାଏ
ଲାଗେ ମୋତେ ଏକା ପରି
ତୁହି ନିର୍ଝରଣୀ ନିରନ୍ତର ଚାଲୁ
ଏକାନ୍ତେ ସଂଘର୍ଷ କରି ।
ମୋ ମନ ଆବେଗ ବୁଝେନା ଯେ ଭାବ
ସତେ କି ମୁଁ ସ୍ଵାର୍ଥପର
ତୃଷିତ ପରାଣେ ଭରି ଦେଉ ତୁହି
ରାଶି ରାଶି ଜଳ ଧାର ।
ବେନି ଜନଙ୍କର ସମ ଦୁଃଖ ଆସେ
ପ୍ଳାବନେ ସ୍ଵରୂପ ଭିନ୍ନ
ଭସାଇ ଦିଏ ମୁଁ ଗଣ୍ଡ ପ୍ରଦେଶକୁ
ତୁହି ମେଦିନୀର ମନ ।
ସ୍ରୋତସ୍ଵିନୀ ନାମେ ଦୁଇ ସ୍ରୋତେ ଭାସି
ଦିବା ନିଶି କୁଳୁକୁଳୁ
କେତେ ଯେ ସଭ୍ୟତା ଜନମ ତୋ କୂଳେ
ସନ୍ତାନ ରୂପରେ ପାଳୁ ।
ପ୍ରଦ୍ୟୁଷଣ ମୁକ୍ତ କରି ଏ ଜଗତ
ମିଶି ଯାଉ ସିନ୍ଧୁ ଗର୍ଭେ
ଉପକାରୀ ବନ୍ଧୁ ତୋପରି ନାହିଁ ରେ
ଏତେ ବଡ଼ ଏଇ ଭବେ ।