ବୁଡୁନଈ
ବୁଡୁନଈ
ମୋ ଗାଆଁର ପାଖେ ବହିଯାଉ ଅଛି
ଛୋଟ ଏକ ସରୁ ନଈ,
ସେ'ନଈ ର କୂଳେ ଜାତି ଜାତି ଫୁଲ
ମଲ୍ଲି,ଚମ୍ପା,ଯାଇ,ଯୁଇ ।
ନଈ ପଠାପରେ କାଶତଣ୍ଡି ବଣ
ପବନରେ ଗୀତ ଗାଏ,
ଶୋରିଷ କ୍ଷେତରେ ସକାଳର ଖରା
ହରିଣୀଟି ପରି ଧାଏଁ ।
ନଈ ତୁଠେ ବସି ଗାଆଁ ସିମନ୍ତିନୀ
ପାଦର ପାହୁଡ଼ ମାଜେ,
ନଈର ଚହଲା ପାଣି ଆଇନାରେ
ମୁହଁ ଦେଖେ ଲାଜେ ଲାଜେ ।
ମୋ'ଗାଆଁର ନଈ ବାଲି ପଠାପରେ
ଅବୋଧ ପିଲାଏ ମିଳି,
ସଡେଇରେ ରାନ୍ଧି ଭାତ,ତରକାରୀ
ଖେଳନ୍ତି ନିଇତି ଧୂଳି ।
ଭୂଗୋଳ ପୋଥିରେ ନଥାଉ ତା'ନାଆଁ
ସେଥିପାଇଁ ନାହିଁ ଦୁଃଖ ,
ପଥିକ ମୁଖରେ ଜଳ ଟୋପେ ଦେଇ
ପାଏସେ ଅମୂଲ ସୁଖ ।
କାହିଁ କେଉଁ କାଳୁ ବହିଯାଉ ଅଛି
ପାଦ ଧୋଇ ଆମ ଗାଆଁ,
ମୋ ଗାଆଁର ତୁଠ ପାହାଚରେ ଲେଖା
ବୁଡୁନଈ ତା'ର ନାଆଁ ।
