ଜଗତ ଜନନୀ ମାଆ
ଜଗତ ଜନନୀ ମାଆ
ଘଣ୍ଟ ଘଣ୍ଟା ବାଜୁଛି ମାଦଳ
ହସୁଛି ସହର ଗାଆଁ,
ପୂଜା ମଣ୍ଡପରେ ବିଜେ କରିଲେଣି
ଜଗତ ଜନନୀ ମାଆ
ଆସ ଆସ ନରନାରୀ,
ଭକତି ଅନ୍ତରେ ଦୁଃଖ ଜଣାଇବା
କରିଦେବେ ଭବୁ ପାରି।
ଧୂପ,ଦୀପ,ଚୁଆ,ଚନ୍ଦନରେ
ମହକି ଯାଉଛି ଧରା,
ନରମି ଯାଇଛି ମାଆଙ୍କ ଆଶିଷେ
ଆକାଶର ଟାଣ ଖରା
ବରଷା ଯାଇଛି ଫେରି,
ଗଛ ପତରଙ୍କ ଦେହ ଧୋଇବାକୁ
କାକର ରହିଛି ଘେରି ।
ଶାଗୁଆ କ୍ଷେତ ମୁରୁକି ହସେ
ପବନଟା ଦେଲେ ଛୁଇଁ
ଶରତ ଆସି ପୋଛି ଦେଇଛି
ପାଣି କାଦୁଅ ଭୂଇଁ ।
ଜମୁଛି ଯାତରା ଭିଡ
ଧାଡି଼ ଲାଗିଅଛି ଭକତ ମାନଙ୍କ
ଦେଖି ଯିବା ପାଇଁ ମେଢ଼ ।
ଶିଳୀପି କେତେ ଗଢିଛି ଦେଖ
ତୋରଣ ଭଳିକି ଭଳି
ଆକାଶ କେତେ ପାଖରେ ତା'ର
ଆଖିମୋ' ପାରେନା କଳି
ସଂଜ ଛୁଇଁଦେଲେ ଧରା,
ସାରା ଆକାଶରେ ଫୁଟି ଉଠେ ସବୁ
ଝିଲିମିଲି ଟିକି ତରା ।
ବରଷେ ଥରେ ମାଆଙ୍କ ପାଇଁ
ଦେଶ ବିଦେଶୁ କିଏ
ଧାଇଁ ଆସଇ ଗାଆଁ ମାଟିକୁ
ଦେଖିବା ପାଇଁ ସିଏ
ଏମିତିବା ଦେଶ କାହିଁ ,
ମାଟି ଘଟ ଦେହେ ଜୀବନ୍ତ ଦିଶଇ
ଜଗତ ଜନନୀ ସାଇଁ ।