ମାଆ ପାଦ ଦେବେ ଧରାରେ-
ମାଆ ପାଦ ଦେବେ ଧରାରେ-
ଆକାଶରେ ନାହିଁ ମେଘର ମେଲଣ
ନାହିଁ ଟାଣ ଖରା ଡହକ,
ଶରତ କରିଛି ଧରାକୁ କାଲିଠୁ
ସତେକି ଯେମିତି କୁହୁକ ।
ରାତିରୁ କାକର ଧୋଇ ଦେଇଅଛି
ବିଲ,ବଣ,ଗାଆଁ ମାଟିକୁ,
ସକାଳ ସୂରୁଜ କଣେଇ ଦେଖୁଛି
ଗଙ୍ଗଶିଉଳିର ଝୋଟିକୁ ।
ନୀଳ ଆକାଶରେ ଧଳା ବଉଦଙ୍କୁ
ଦେଖିଲେ ଲାଗଇ ଏମିତି,
ସାଧା କାଗଜରେ କିଏ ଗୁଡ଼ି କରି
ଉଡ଼େଇ ଦେଇଛି ଯେମିତି ।
ସବୁ ସଜବାଜ ହେଲେଣି ମରତେ
ଫୁଲ,ଫଳ ଗଛ ପତର,
ମାଆ ଆସିବାର ଖବର ଜାଣିକି
ବୋଳି ହୋଇଲେଣି ଅତର ।
ବରଷକେ ଥରେ ଆସିଛି ଅଶିଣ
ଦୁରୁଗା ମାଆଙ୍କ ପରବ,
ଭକତି ଅନ୍ତରେ ପାଛୋଟି ଆଣିବା
ପୋଛି ଦେଇ ମନୁ ଗରବ ।
ଧଳା କନିଅର ନାଲିଆ ମନ୍ଦାର,
ଚମ୍ପକ,କୁସୁମ,କମଳ,
ଅପରାଜିତାରେ ଫୁଲ ଗୁନ୍ଥି ଦେବା
ମନ କରି ଆମ ବିମଳ ।
କେଡେ ବଡ ଭାଗ୍ୟ ସତରେ ଆମର
ମାଆ ପାଦଦେବେ ଧରାରେ,
ମାଆ ଆଗମନେ ଜହ୍ନ ସଜାଉଛି
ଧରାକୁ ଯେମିତି ହୀରାରେ ।
ଧୂପ,ଦୀପ,ଝୁଣା,ଅଗୁରୁ,ଚନ୍ଦନେ
ମହକିବ ସାରା ଭୁବନ,
ଭୁବନ ମୋହିନୀ ମାଆଙ୍କ ଚରଣେ
ଢାଳିବା ଭକତି ସୁମନ ।
ପୂଜା ମଣ୍ଡପରେ ମାଦଳ ବଜାଇ
କରିବା ଆଳତି,ଚାମର,
ମାଆ ପାଶେ ଆମେ ଦୁଃଖ ଜଣାଇବା
ଦୁଃଖ ପୋଛି ନେବେ ଆମର ।