ବାପୁଙ୍କ ଚଷମା
ବାପୁଙ୍କ ଚଷମା
-
କୋଉଠି ଥିଲା ଏତେ ଶକତି
ମନରେ ପୁଣି ଏତେ ଭକତି
ମାଆ ମାଟିର ମମତା ଲାଗି
ଛାଡ଼ି ଆପଣା ସୁଖ,
ଦେଶ ଦୁନିଆ ଆପଣା କରି
ସଭିଙ୍କୁ ଡାକି ଏକାଠି ଧରି
ବିତେଇ ଦେଲ ସାରା ଜୀବନ
ଆବୋରି ନେଇ ଦୁଃଖ ।
ଜଣା ପଡେନା ଦେଖିଲେ କିଛି
ଦୁରୁବଳିଆ ଦେହରେ ଅଛି
ଗୋରା ମାନଙ୍କୁ ତଡ଼ିବା ପାଇଁ
ଏତେ ସାହାସ ଦମ୍ଭ,
ଅଟଳ ତୁମ ମନର କଥା
କିଏ ବୁଝିବ ତାହାର ବ୍ୟଥା
ତୁମେ ତ ଥିଲ ଅହିଂସା ପଥେ
ଦୟା ଧରମ ଖମ୍ବ ।
କିଏସେ ଜାଣେ ଚଷମା ତଳେ
ଆଖି ଦୁଇଟି ଭାସୁଛି ଜଳେ
ନିରୀହ ଦୁଃଖୀ ମଣିଷ ଲାଗି
ହୃଦୟେ ଭରି ଶୋକ,
ଗାଆଁ,ସହର,ରାଇଜ,ଦେଶ
ଧୋତି, ଚାଦର ଗୋଟିଏ ବେଶ
ସଭିଙ୍କୁ ଡାକି କରିଲ ଏକ
ଭୁଲି ପେଟର ଭୋକ ।
ଡରି ନଯାଇ ବନ୍ଧୁକ ଗୁଳି
ତୋପ କମାଣ ଖଡଗେ ଟଳି
ହାତରେ ଧରି ଗୋଟିଏ ଲାଠି
ଡାକରା ତୁମ ଥିଲା,
ଆସରେ ସବୁ ଭଉଣୀ ଭାଇ
ହାତ ହତିଆର ଧରିବା ନାହିଁ
ଅହିଂସା ଆମ ଧରମ ପଥ
ଯୁବା ହେଉବା ପିଲା ।
ଗଲାଣି ଦିନ ବରଷ ମାସ
ସବୁରି ଓଠେ ଫୁଟିଛି ହସ
ବାପୁହେ ତୁମ ଚଷମା କଥା
ବୁଝି ପାରୁନୁ ଆମେ,
କେମିତି ସେହି ଚଷମା ତଳେ
ସ୍ୱାଧୀନତାକୁ ଦେଖିଲ କୁହ
ଏତେ ଆଗରୁ ତୁମେ ।