କୁନା ଶିଖିଲା ପିମ୍ପୁଡ଼ିଠାରୁ
କୁନା ଶିଖିଲା ପିମ୍ପୁଡ଼ିଠାରୁ
ପିମ୍ପୁଡ଼ି ଭାଇ ପିମ୍ପୁଡ଼ି ଭାଇ
କଥା ପଚାରିବି ଦେବକି କହି ।
କୁଆଡ଼େ ଯାଉଛ ମୋ କଥା ଶୁଣ
ଦେଉଅଛି ମୁହିଁ ତୁମକୁ ରାଣ ।
ଟିକିଟିକି ଗୋଡ଼ ଛୋଟ ଶରୀର
ଟିକି ହାତେ ବଡ଼ କାମଟି କର ।
ଉପାୟ ତାହାର ଦେବକି କହି
ଦଣ୍ଡେ ବିଶ୍ରାମରେ ମୋ ପାଖେ ରହି ।
ବରଷା ଆଗରୁ ଆହାର ରଖ
ଭଲ ମନ୍ଦ ସବୁ ବୁଝି ପରଖ ।
ଯିବାବେଳେ ବାଟେ ଧାଡ଼ିରେ ଚାଲ
ମାନ ନାହିଁ କେବେ ଢିପ କି ଖାଲ ।
ମିଳିମିଶି ସବୁ ସାଙ୍ଗରେ ରୁହ
ତୋର ମୋର କିଛି କେବେ ନକୁହ ।
ସାଥି ହୋଇ ସବୁ ଏକାଠି ଖାଅ
ଶୃଙ୍ଖଳାରେ ମନେ ମନ ମିଳାଅ ।
ଏକ ଆରେକର ସହାୟ ହୋଇ
ଖୋଜି ବୁଲୁଥାଅ ଆହାର ପାଇଁ ।
ପାଇଲେ ସଭିଏଁ ନିଅ ଗଡ଼େଇ
ଟିକି ମନେ ବଡ଼ ଆଶାଟି ନେଇ ।
ପିମ୍ପୁଡ଼ି କହିଲା କୁନାକୁ ଚାହିଁ
ବସ ମୋର ପାଖେ ଦେବି ବତାଇ ।
ଏଥର କଥା ମୋ ଶୁଣ ଧ୍ୟାନରେ
ଯାହା ମୁଁ କହୁଛି ଛୋଟ ପାଟିରେ ।
ସର୍ବଦା ହୋଇବ ପରୋପକାରୀ
ମନେ ଉଚ୍ଚ ଆଶା ବିଶ୍ୱାସ ଭରି ।
ହୁଅ ପଛେ ଛୋଟ ପିଲାଟି ତୁମେ
ନିଜକୁ ମଣିବ ନର ପ୍ରଥମେ ।
ନରଖିବ ସ୍ବାର୍ଥ ଜୀବନେ କେବେ
ମଣିଷରେ ଗଣା ହୋଇବ ତେବେ ।
ପାଠ ସାଠ ଜ୍ଞାନ ବିବେକ ବୁଦ୍ଧି
ରଖିବ ବିଚାର ଉଚିତ ଯଦି ।
କରୁଥିବ କାମ ଯେତେ କଠିନ
ଅଳସୁଆ ହେବ ନାହିଁଟି ଧନ ।
ଜିତିବ ନିଶ୍ଚିତ ଜୀବନ ବାଜି
ନହୋଇବେ ଜନେ କେବେ ଅରାଜି ।
କାଲି କାମ ପୁଣି ଆଜି କରିବ
ଦେଶ ଜାତି ଲାଗି ଜୀବନ ଦେବ ।
ଅଳପରେ ଖୁସି ହୋଇ ରହିବ
ଅଧିକ ଧନେ ଲୋଭ ନରଖିବ ।
ସମୟର ସଦୁପୋଯୋଗ କରି
ଚଲାଇବ ହସି ଜୀବନ ତରୀ ।
ନକରିବ ହେଳା ପିତା ମାତାଙ୍କୁ
ପୂଜୁଥିବ ସଦା ମାନି ଏହାଙ୍କୁ ।
ପିମ୍ପୁଡ଼ି ଭାଇର ହିତ କଥାକୁ
ଶୁଣି କୁନା ସବୁ ନେଲା ମନକୁ ।
କରିବ ଯାହା ସେ କହିଲେ ସବୁ
ଏବେ ଠାରୁ ଲାଗି ପଡ଼ିଲେ ବାବୁ ।