ପରଶ
ପରଶ
ବଇଶାଖୀ ତାତି ନିର୍ମମ ପରଶ
ହୃଦୟ ବିଦାରି ଦିଏ
କାଳ ବଇଶାଖୀ ପ୍ରଳୟ ରଚଇ
ଦୁନିଆ ଅଥୟ ହୁଏ ।
ପହିଲି ଆଷାଢ଼ ପହିଲି ପରଶ
ଭିଜାମାଟି ଭାରି ବାସେ
ସବୁଜିମା ଭରେ ଦିଗ ଚଉଦିଗେ
ବନ ଉପବନ ହସେ ।
ଶରତ ପରଶେ ନିର୍ମଳ ଆକାଶେ
ଧଳା ମେଘ ଖଣ୍ଡ ଭାସେ
ହେମନ୍ତ କାକର ହେମାଳ ପରଶ
ରାତି ଭିଜାଭିଜା ଦିଶେ ।
ଶୀତ ପରଶରେ ଶୀତେଇ ଉଠଇ
ସଭିଙ୍କର ଦେହମନ
କାଲୁଆ ପାଣିକୁ କାଲୁଆ ପବନ
ଥୁରୁଥୁରା ରାତିଦିନ ।
ବସନ୍ତ ଆସିଲେ ଚଇତାଳି ବାଆ
ମଧୁର ପରଶ ଦେଇ
ନର ପଶୁ ପକ୍ଷୀ କୀଟ ତରୁଲତା
ସବୁ ମନ ନିଏ ମୋହି ।
ବାରମାସ ଛଅ ଋତୁର ପରଶ
ସବୁବେଳେ ଲାଗେ ନୂଆ
ରାତି ପାହିଗଲେ ନୂଆ ଦିନ ଆସେ
ଦେଖାଏରେ ନୂଆ ରାହା ।