ବସ୍ତାନୀ ବୋଝରୁ କର ଉଦ୍ଧାର
ବସ୍ତାନୀ ବୋଝରୁ କର ଉଦ୍ଧାର
ପାଠ ଠାକୁର ହେ ପାଠ ଠାକୁର
ବସ୍ତାନୀ ବୋଝରୁ କର ଉଦ୍ଧାର ।
ପିଲାଟି ବେଳରୁ ବହିର ବୋଝ
ପିଠିକୁ ଆମର କଲାଣି କୁଜ ।
ରାତି ନପାହୁଣୁ ଶେଜ ଛାଡୁଛୁ
ନିଦୁଆ ଆଖିରେ ସ୍କୁଲ ଯାଉଛୁ ।
ଘରପାଠ ବୋଝ ମେଞ୍ଚାଏ ବୋହି
ଘରକୁ ଫେରୁଛୁ ହାଲିଆ ହୋଇ ।
ଖାଇ ପିଇ ଟିକେ ନିଃଶ୍ୱାସ ମାରି
ବସୁ ପୁଣି ବହି ପସରା ଧରି ।
ଆଜି କଲେ ହେଳା ହାରିବୁ କାଲି
ସାଙ୍ଗସାଥୀ ଯିବେ ଆଗକୁ ଚାଲି ।
ବାପା ବୋଉଙ୍କୁ ତ ଲାଗିବ ଲାଜ
ସେଥିପାଇଁ ସାରୁ ଆଜିର ବୋଝ ।
ପାଠ ଠାକୁର ହେ ମିନତି ଘେନ
କମାଇ ଦିଅହେ ବହି ଓଜନ।
ବହି ସବୁ ଗଲେ ହାଲୁକା ହୋଇ
ପଢିବୁ ଖୁସିରେ ମନ ଲଗାଇ ।
ପାଠ ଲାଗିବନି ଆମକୁ ବୋଝ
ହେବନାହିଁ ଆମ ପିଠିରେ କୁଜ ।