ଆସ ମହାକାଳୀ
ଆସ ମହାକାଳୀ
ଏଥର ହସିବ ମୋ'ଦେଶର ଗାଆଁ
ସହର ବଜାର ଗଳି,
ବିବିଧ ରଙ୍ଗର ଆଲୋକର ମାଳା
ସଂଜରେ ଉଠିବ ଜଳି ।
ଗହଳ ଅନ୍ଧାରେ ଦୀପ ଟିଏ ଜାଳି
କରୁଅଛୁ ଆବାହନ,
ଆସ ମହାକାଳୀ ଜାଳୁଛୁ ଦୀପାଳି
ଦିଅ ମାଗୋ ଦିବ୍ୟ ଜ୍ଞାନ।
ରଙ୍ଗ ବେରଙ୍ଗର ତୋରଣ ସହିତ
ମଣ୍ଡପ ହେଲାଣି ସଜା,
ଭେରୀ,ତୁରୀ,ଶଙ୍ଖ,ଢୋଲ,କରତାଳେ
ବାଜିବ ତେଲିଙ୍ଗି ବାଜା ।
ଆସୁଛନ୍ତି ମାଆ ଜଗତ ଜନନୀ
ମରତ ହେଲାଣି ସଜା
ଗଗନ ପବନ ମୁଖରିତ କରି
ବଜାରେ ବାଇଦ ବଜା ।
ପବନ ଦୋଳିରେ କାଶଫୁଲ ଝୁଲେ
ଘାସ ପତରରେ ମୋତି,
କିଏ ବୁଣିଦେଲା ସକାଳ କିରଣେ
ଝଟକି ଉଠୁଛି ଜ୍ୟୋତି ।
ହେନା, ଯୂଈ,ଜାଇ ସଜ ହୋଇଲେଣି
ଶେଫାଳୀ ଗଲାଣି ଝରି,
ପ୍ରଭାତରୁ ଉଠି ଡାକି ଲାଣି କାକ
ଉଠ ଉଠ ନର ନାରୀ ।
ଘରେ ଘରେ ଆଜି ଜାଳି ଦେବା ଦୀପ
ଅନ୍ଧାରକୁ କରି ନାଶ,
ବଡବଡୁଆହୋ ଆଲୁଅରେ ଯାଅ
ଅନ୍ଧାରରେ ତୁମେ ଆସ ।
ଦୁର୍ଗତିନାଶିନୀ,ଖର୍ପର ଧାରିଣୀ
ଆଶିଷ କଳସ ଧରି,
ମରତ ମାଟିର ପ୍ରାଣୀ ଜଗତର
ଦୁଃଖ ନେବେ ସବୁ ହରି ।
