Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Panda

Children Stories

4.5  

Pranati Panda

Children Stories

ବିଦ୍ୟାଳୟ ଆମ ପ୍ରଥମ ଆଳୟ

ବିଦ୍ୟାଳୟ ଆମ ପ୍ରଥମ ଆଳୟ

1 min
341



ପ୍ରଥମ ସୋପାନ ଗାଆଁ ବିଦ୍ୟାଳୟ

                ଅଭିନବ ଅନୁଭୂତି ,

ଚପଳ ଶିଶୁକୁ  ଗୁରୁଜୀ ପଢ଼ାନ୍ତି

                ମନେ ଭରି ନବଜ୍ୟୋତି ।


 ହିତାକାଂକ୍ଷୀ ହୋଇ ଢାଳନ୍ତି ଆଶିଷ

                ନବ ଆଶା ଭରି ହୃଦେ ,

ବେତ ବାଡି ଧରି ପଢାନ୍ତି ଶିଷ୍ୟଙ୍କୁ      

                ଅନୁଶାସନର ମଧ୍ୟେ ।


ପ୍ରଥମ ପ୍ରଣାମ  ଗୁରୁ ଶ୍ରୀଚରଣେ

                ତା'ପରେ ପ୍ରାର୍ଥନା ହୁଏ ,

ପଢା ସରଞ୍ଜାମ ଗୋଡ଼ି, କାଠି ନେଇ

                ଶିଷ୍ୟ ଉପସ୍ଥିତ ରହେ ।


ଜ୍ଞାନର ମନ୍ଦିର  ପବିତ୍ର ଆଳୟ

                 ନଥିଲା ତ' ଆବିଳତା ,

ଗୁରୁ, ଛାତ୍ରଙ୍କର  ଅତୁଟ ସମ୍ବନ୍ଧେ

                 ହୃଦୟେ ଥିଲା ଏକତା ।


ବିତେ ଦିନ ମାସ ବରଷ ବରଷ

                 ଅଭୁଲା ଅଲିଭା ସ୍ମୃତି ,

ଛାତ୍ର ,ଛାତ୍ରୀ ଆଜି ଆଦରି ଅଛନ୍ତି

                 ବିଦେଶୀ ଭାଷା ସଂସ୍କୃତି ।


ପୁଣ୍ୟଭୂମି ଆମ  ଦେବଭୂମି ଆମ

                 ଓଡ଼ିଶା ଜନମ ଭୂଇଁ ,

ଓଡ଼ିଆ ତ’ ଆମ ମାତୃଭାଷା ବୋଲି

                 ମନରୁ ଭୁଲିବା ନାହିଁ ।


ଟଳ ମଳ ଆଜି ଭାଷା ଓ ସଂସ୍କୃତି

                 ଜୀର୍ଣ୍ଣ ଶୀର୍ଣ୍ଣ ଭାଷାପ୍ରୀତି,

ବିଦେଶୀ ଭାଷାକୁ ପ୍ରାଧାନ୍ୟତା ଦେଇ

                  ଓଡ଼ିଆର ଅଧୋଗତି ।


ପଢୁ ପଛେ ପିଲା ବିଦେଶେ ଆମର

                  ଚାକିରୀ ସମସ୍ୟା ନେଇ,

ଶିଖାଇବା ଘରେ ଗୁରୁ ହୋଇ ତାଙ୍କୁ

                  ଓଡ଼ିଆରେ କଥା କହି ।


ଓଡ଼ିଶା ଭୂଇଁର ସନ୍ତାନ ଆମେ

                  ଆଣିବା ନୂଆ ପ୍ରଗତି,

ଓଡ଼ିଆ ଭାଷାର  ମାନ ବଢ଼ାଇବା

                  ମାତୃଭାଷା ପ୍ରତି ପ୍ରୀତି ।


ବିଦ୍ୟା ଅଟେ ଜ୍ଞାନ  ପବିତ୍ର ଆଳୟ

                  ଗୁରୁ ହିଁ ପ୍ରଥମ ଶକ୍ତି ,

ବିନା ଗୁରୁ ଜ୍ଞାନେ  ନ ହେବ ଉନ୍ନତି

                  ଗୁରୁଙ୍କୁ କରିବା ଭକ୍ତି ।


ଗ୍ରୁରୁ ଛାତ୍ରଙ୍କର  ସ୍ନେହ ଶ୍ରଦ୍ଧା ଆଉ

                  ସତ୍ୟ ଓ ଭକତି ବଳେ,

 ଶିକ୍ଷା ଓ ସଂସ୍କୃତି ମର୍ଯାଦା ଲଭିବ

                  ଓଡ଼ିଶା ଭୂଇଁର କୋଳେ।

                    


Rate this content
Log in