STORYMIRROR

Krushna Chandra Lenka

Inspirational Children

4  

Krushna Chandra Lenka

Inspirational Children

କେମନ୍ତ ଭୁଲିବି ଏଦେଶ ଋଣ

କେମନ୍ତ ଭୁଲିବି ଏଦେଶ ଋଣ

1 min
564

ଯେ ଦେଶେ ଜନମ ହୋଇଚି ମୁହିଁ

ଯା କୋଳେ ବଢିଛି ଜୀବନେ ତହିଁ ।


ଯା ପାଣି ପବନେ ଗଢ଼ା ଶରୀର,

ତା ପାଇଁ ରହିଛି ଜୀବନ ମୋର ।


ଯା ଲାଗି ହେଲି ମୁଁ ଉତ୍ତମ ଚାଟ,

ତା କରୁଣା ବଳେ ପଢ଼ିଲି ପାଠ ।


ଆଜ ଯଦି ମୁହିଁ ହେଲି ମଣିଷ,

ଭାଙ୍ଗି କି ପାରିବି ତାର ବିଶ୍ୱାସ ।


ଏ ଦେଶୁ ପାଇଚି ଅନେକ ଯଶ,

କେତେ କେତେ ଯଶ ନାହିଁ ତା ଶେଷ ।


ପାଇଚି ଆହାର ଜିଇଁବା ପାଇଁ,

ଯା ମୂଲ ଅମୂଲ ଜୀବନେ ତହିଁ ।


ଲଜ୍ୟା ନିବାରଣ ପାଇଁ ବସନ,

ଦେଇ ଦେଶ ମୋର ରଖିଲା ମାନ।


ବାସ ପାଇଁ ମାଟି ଦେଇଛି ଥାନ,

ତଥାପି ତାହାର ବୁଝେନି ମନ।


ପାଳିଚି ସେ ମୋତେ ସନ୍ତାନ ପରି,

ଦେଇଚି ଅମୃତ ଜୀବନ ଭରି।


କେ ଅଛି ତା ସମ ଏଇ ଭୁବନେ,

ଦେଖି ନାହିଁ ମୁହିଁ ତିଳେ ନୟନେ।


ତୃଷା ମେଣ୍ଟେ ମୋର ଯାହାର ଜଳେ,

ଭୁଲି କି ପାରିବି ତା ଋଣ ତିଳେ ।


ଯା ଦୁଃଖ କଷଣେ ହୋଇଚି ବଡ଼,

ଯା ପାଇଁ ଭୁଲିଚି ଜୀବନ ଝଡ଼।


ତାହାରି ସେବାରେ ବିତୁ ଜୀବନ,

ସଦା ରଖିବି ମୁଁ ତାହାରି ମାନ।


ଅର୍ଥ ଉପାର୍ଜନ ଲାଳସା ପାଇଁ,

ବିଦେଶେ ଚାକିରୀ କରିବି ନାହିଁ।


ପାରିବି କି ଡେଇଁ ଏଦେଶ ବନ୍ଧ,

ତିଳେ ସ୍ୱାର୍ଥ ପାଇଁ ହେବି କି ଅନ୍ଧ ।


କେମନ୍ତ ଭୁଲିବି ଏ ଦେଶ ଋଣ,

ବଢିଛି ଖାଇ ମୁଁ ଯାହାର ଲୁଣ।


ଦିବସ ରଜନୀ ଗୋଟିଏ କରି,

ଶ୍ରମ କରୁଥିବି ଜୀବନ ଭରି।


ବୁଦ୍ଧି କଉଶଳ ଶିଖିଚି ଯେତେ,

ଖଟାଇବି ତାରେ ଏଦେଶ ସାଥେ।


ଆପଣା ଜ୍ଞାନେ ମୁଁ ଏ ଦେଶେ ଖଟି,

ରଖିବି ତା ମାନ ମହତ ଏଠି।


ଜୀବନ ଦେବି ମୁଁ ତାହାରି ଲାଗି,

ସେ ପାଇଁ ସଦା ମୁଁ ରହିଛି ଜାଗି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational