ନାରୀ ବୋଲି ଗର୍ବିତ
ନାରୀ ବୋଲି ଗର୍ବିତ
ପରିସ୍ଥିତିର କଷାଘାତରେ
ଅଭିନୟ କରିବାକୁ ପଡ଼େ
କେବେ ଶିଶୁ ଭୂମିକାରେ
ହସି ହସାଏ ତ କେବେ
ଖେଳି ଖେଳେଇବାକୁ
ବାଣ୍ଟିଦିଏ ଅସୁମାରୀ ଖୁସି ।
କେବେ ଝିଅ ଭୂମିକାରେ
ଘରର ଅଗଣାରେ ଆଙ୍କିଦିଏ
ମମତାର ସ୍ୱତଃ ପ୍ରତିମୂର୍ତ୍ତି
ଶିଖି ଶିଖାଏ ଜଞ୍ଜାଳକୁ
ପଢ଼ି ବିଶ୍ଲେଷଣ କରେ
ସଂସାରର ଅଭେଦ୍ୟ ସରଳାର୍ଥକୁ ।
କେବେ ସ୍ତ୍ରୀ ଭୂମିକାରେ ସ୍ବାମୀର
ଅର୍ଦ୍ଧାଙ୍ଗିନୀ ସାଜି
ଗଢ଼ି ତୋଳେ ସଂପର୍କର ସେତୁ
ଆଗକୁ ବଢ଼ିବାରେ
ସଂସାର ଗଢିବାରେ
ନେଇଯାଏ ଉତ୍ତର ପିଢ଼ିର ଦ୍ୱାର ଦେଶକୁ ।
କେବେ ସାଥୀ ଭୂମିକାରେ
ବୁଝିପାରେ ଅନ୍ତରର
ଲୁକ୍କାୟିତ ବେଦନା ସବୁକୁ
ବୁଝି ବୁଝାଏ ସେ
ଅଧେ ଦୁଃଖ ନେବା ପାଇଁ
ଜୀବନ ସମର୍ପି ଦିଏ ଅପରକୁ ।
ପୁଣି ମାଁ ଭୂମିକାରେ
ସର୍ବସହା ପାଲଟିଯାଏ
ଦୁଃଖ କଷଣ କୁ ହଜମ କରି ସେ
ନା କାନ୍ଦିପାରେ
ନା କନ୍ଦାଇ ପାରେ
ହସି ହସି ସହିଯାଏ ସକଳ କଷ୍ଟକୁ ।
ହେଲେ
ମାଗେନା ମମତାର ମୂଲ୍ୟ
ଶ୍ରମ ବଦଳରେ ବେତନ
ହୀରା, ଲୀଳା, ମୋତି
ସେବା କରି ଦିନ ରାତି
ହରି ସଂସାର ଦୁର୍ଗତି
ନିମିଷେ କଷଣ ଯାହାର
ତରଳେ ଛାତି ।