ନାରୀ ବୋଝ ନୁହେଁ
ନାରୀ ବୋଝ ନୁହେଁ
ଜନ୍ମ ହେଲା ଠାରୁ ଜୁଇ ନିଆଁ ଯାଏଁ
ପ୍ରତି ମୁହୂର୍ତ୍ତରେ ଦିଏ ପରୀକ୍ଷା
ନାରୀ ଟିଏ ହୋଇ ଜନମିବ ବୋଲି
ସମାଜକୁ ମାଗେ ଜୀବନ ଭିକ୍ଷା.... ।
ଦଶ ମାସ ଧରି ଗର୍ଭରେ ଧାରଣ
କରି ରଖିବା କି ସହଜ କୁହ ,
ପାଦେ କଣ୍ଟାଟିଏ ଫୁଟିଗଲେ ପରା
ଝରିଯାଏ ଆମ ଆଖିରୁ ଲୁହ .... ।
ବିପଦେ ଆପଦେ ବନ୍ଧୁଟିଏ ହୋଇ
ସର୍ବଦା ହୁଅଇ ପାଖରେ ଠିଆ
ମନର କଥାକୁ ବୁଝିଯାଏ ଆପେ
ରୁହେ ସବୁବେଳେ ଛାଇ ଭଳିଆ.... ।
କେବେ ମାଁ ହୋଇ ସେ ନିଏ କୋଳେଇ
କେବେ ସ୍ତ୍ରୀ ସାଜି ଚାଲେ ସାଥିରେ
କେବେ ଝିଅ ହୋଇ ଲୁହ ପୋଛି ଦିଏ
କେବେ ବନ୍ଧୁ ହୋଇ ସାହାଯ୍ୟ କରେ.... ।
ଦୀପଶିଖା ଭଳି ନିଜେ ଜଳି ଜଳି
ସଭିଙ୍କୁ ଆଲୋକ କରେ ପ୍ରଦାନ ,
ତ୍ୟାଗ, ବଳିଦାନ , ସଂଘର୍ଷରେ ଭରା
ଉତ୍ସର୍ଗୀକୃତ ତା'ର ସାରା ଜୀବନ... ।
ବୋଝ ନୁହେଁ ନୂଆ ସମ୍ଭାବନା ସିଏ
ଆଗାମୀ କାଲିର ସେ ପରିଚୟ ,
ସବୁ ବାଧା ସତ୍ତ୍ୱେ ସେ ଆଜି ଶୀର୍ଷରେ
ସର୍ବତ୍ର ଶୁଭୁଛି ନାରୀର ଜୟ.... ।