କବିତା ପୃଷ୍ଠା
କବିତା ପୃଷ୍ଠା
କେଉଁ ଏକ ଅଜ୍ଞାତ ରାଜ୍ୟରୁ
ଉଭା ଆସି କବିର ମାନସେ ।
ଆଙ୍କି ହେଲା କାଗଜ ପୃଷ୍ଠାରେ
ଅବା ଏବେ ନୋଟ୍ ପ୍ୟାଡରେ ସେ।
ଶବ୍ଦମାନେ ଭୂମିରୁ ଭୂମାକୁ
ସ୍ପର୍ଶ କରି ଆସୁଛନ୍ତି ଭାସି ।
ବଳାହକ ମାଳା କିବା ସତେ
ଆନନ୍ଦରେ ଊଡୁଛନ୍ତି ହସି ।
ନିଦାରୁଣ କଷଣରୁ ହେଉ
ହେଉ ଅବା ନିଜାନନ୍ଦ ସୁଖୁଁ ।
ଭାସି ଆସୁ ସାଗର ବକ୍ଷରୁ
ଚିିରି ଆସୁ ସଂସାରର ବୁକୁ ।
ଅଙ୍ଗେ ନିଭା ଅଲିଭା ସ୍ମୃତିରୁ
ଆସୁ ହର୍ଷ ବିଷାଦ ସହିତ ।
ଆସୁ ଅବା ପରୀ ରାଇଜରୁ
ହେଉ ଅବା କଳ୍ପନାପ୍ରସୂତ ।
କବିତା ସେ ହସାଏ ରସାଏ
କେବେ ଅବା ଝୁରାଏ କନ୍ଦାଏ ।
ଭରସା ବାରତା କେବେ ଦିଏ
ଆନନ୍ଦାଶ୍ରୁ କେବେ ବା ବୁହାଏ ।
ଅବଜ୍ଞାର ଭାବ ହିଁ ନଥାଏ
ମନେ କିଛି ଛାପ ଛାଡିଯାଏ ।
ଉଦ୍ଦାମର ଉଦ୍ଦୀପନା ସ୍ୱର
କବିତାରୁ କେବେ ବାରିହୁଏ ।
ପ୍ରେରଣା ସେ କୋଟି ହୃଦୟର
ଅଧ୍ୟାତ୍ମ ବାରତା କେବେ ଦିଏ ।
ସତ୍ଯ ଶିବ ସୁନ୍ଦର ରୂପରେ
ସ୍ବୟଂ ଆସି ଆବିର୍ଭୂତ ହୁଏ ।
କବିିତାର ପୃଷ୍ଠାଟିଏ ପଢି
ହୃଦେ ତାକୁ ଅନୁଭବ କର ।
ଅକ୍ଷର ବ୍ରହ୍ମ ସ୍ବରୂପ ସେହି
ସେ ବ୍ରହ୍ମକୁ କର ଅଙ୍ଗୀକାର ।