ଏ ରଙ୍ଗ ରହିଲେ ହେଲା
ଏ ରଙ୍ଗ ରହିଲେ ହେଲା
କ୍ଷଣ କ୍ଷଣ ଆନ ମାନବ ଜୀବନ
ଗର୍ବ ଅହଂକାର ଭୂଷଣ
କାହିଁକିରେ ମନ ଦମ୍ଭ କଥାମାନ
କହୁ ହୋଇ ଜଣେ ଚେତନ
ଯେବେ ନଜାଣୁ
କିଆଁ ଏହି ପରିବର୍ତ୍ତନ
ନିଜକୁ ପଚାରି ବୋଧରେ ବିଚାରି
କରୁଥା' ତୁ କରମମାନ ।
କାହିଁ ପାଇଁ ତୁହି ଆସିଥିଲୁ ମହୀ
ସେଥିପାଇଁ କି ସଚେତନ
ନୁହେଁ ବଡ଼ପଣ ମାନବିକ ଗୁଣ
ତା' ପଛରେ ଅନୁଧାବନ
କରି ଚାଲିଲେ
ରଙ୍ଗ ବିହୀନରେ ଜୀବନ
ଦିଶି ଫିକାଫିକା ଲାଗୁଥିବ ଏକା
ପଶ୍ଚାତ୍ତାପରେ ମଗନ ।
ବଡି଼ମାପଣିଆ ରହିନି ଦୁନିଆ
ଯିଏ ଜନମିଛି ଏଇଠି
ବାଳୀ, କଂସାସୁର ଦୁର୍ଯ୍ୟୋଧନ ବୀର
ଅଶୋକାଦି ଅହଂ ବି ମାଟି
ଉଦାହରଣ
ପୁରାଣଠୁ ଇତିହାସରେ
ଦେଖାଉଥିଲେ ବି ଯେତେ ଯିଏ ରଙ୍ଗ
ଉଡ଼ଇ ସମୟ ଚକରେ ।
ଆଜି ଯେ ଅମୀର କାଲି ସେ ଫକୀର
ରୂପ ବି ଚିରଦିନ ନୁହଁ
ଥିଲେ ଧନ, ରୂପ ହୁଏ କେଉଁ ଲାଭ
ସୁନ୍ଦର ନଥିଲେ ହୃଦୟ
ଶୋଭାମଣ୍ଡିତ
ଦିଶେ ନାହିଁ ଆନ ଆଖିରେ
ଏ ରଙ୍ଗ ରହିଲେ ହେଲା ବୋଲି ଜନେ
କୁହା କୁହି ହୋନ୍ତି ତୁଣ୍ଡରେ ।