ଚିହ୍ନା ମଣିଷର ଅଚିହ୍ନା ରୂପ
ଚିହ୍ନା ମଣିଷର ଅଚିହ୍ନା ରୂପ
ଏକ ଦୃଶ୍ୟ ଆଉ ଆନଟି ଅଦୃଶ୍ୟ
ଚିହ୍ନା ମଣିଷର ଅଚିହ୍ନା ରୂପ
ଯେତେବେଳେ ତାହା ହୁଏ ପ୍ରକାଶିତ
ନୟନରେ ସତେ କେଡ଼େ ବେରୂପ !
ଚିହ୍ନା ମୁହଁଟିର ସୁନ୍ଦରତା ଦେଖି
ମନ ସିନା ଭଳେ ବାହ୍ଯ କଥାରେ
ଜାଣିବା ନୁହେଁ କି କହିବା କାରଣ
ଶୁଣିବା ବ୍ଯକ୍ତିଟି ନିଜ ଅନ୍ତରେ ?
କଦାକାର ସେହି କପଟ ଭାବନା
ସମ୍ପର୍କ ଭିତରେ ଭରି ଘୃଣ୍ୟତା
ହୃଦୟର ଚିତ୍ର ଦିଏ ବଦଳାଇ
ପରସ୍ପରଠାରୁ ଛିନ୍ନ ମମତା ।
ଅଣ୍ଟିରେ ପଶି ସେ ତଣ୍ଟିକୁ କାଟଇ
ଦୁଃଖ-ରକ୍ତ ଯେବେ ପଡ଼ଇ ଝରି
ସେତେବେଳେ ଲାଗେ ଅତି ଅସହାୟ
ଯାହାକୁ ବର୍ଣ୍ଣନା ହୁଏନି କରି ।
କେତେ କଷ୍ଟ ପାଏ ଆପଣା ଯେ ମଣେ
ଅନୁଭବୀ ମନ ସିନା ଜାଣଇ
ମରମ ବେଦନା ଆଉ କେ ଜାଣିବ
କହିବାକୁ ବି ସରମ ଲାଗଇ ।
ଅଚିହ୍ନା ରୂପଟି ଯେବେ ଲୁକ୍କାୟିତ
କରେ ଯେବେ କେହି ସମାଜ ହିତେ
ସିଏ ସିନା ଜ୍ଞାନୀ ଗୁଣୀରେ ଗଣିତ
ସଦା ରହିଥାଏ ଆମ ମରତେ ।