ଆତ୍ମୀୟ
ଆତ୍ମୀୟ
ଆତ୍ମୀୟ ବୋଲି ଯାହାକୁ ଭାବୁଛେ
ସିଏ କି ଆମର ଆତ୍ମାକୁ ଛୁଏଁ
ସବୁ ଯେଣୁ ଏଠି ମିଛ ମରିଚୀକା
ଈଶ୍ବର ବିନା କେ ନିଜର ନୁହେଁ ।
ତଥାପି ଭ୍ରମିତ ମନଟି ଆମର
ସାଂସାରିକ ସୁଖ ଲଭିବା ପାଇଁ
ଜଣେ ଆନ ସହ ଆତ୍ମୀୟତା ଗଢ଼ି
ରହନ୍ତି ଆପଣାପଣ ଦେଖାଇ ।
ଆଦର ଯତନ ସେନେହ ମମତା
ସବୁ ବାଢ଼ି ଦିଅଇ ପରିବାର
ଭାବୁଥାଏ ମନ ଜ୍ଞାତିପରିଜନ
ସକଳେ ଏକାନ୍ତ ମୋର ନିଜର ।
ମନ ସହ ମନ ଯେଉଁଠି ମିଶଇ
ଝରି ପଡେ ସେଠୁ ଆତ୍ମୀୟ ଭାବ
ତା' ଭିତରେ ହଜି ଆନକୁ ହଜାଇ
ଭବ ପାରାବାରେ ଚାଲଇ ନାବ ।
ବିପଦେ ଆପଦେ ସାହା ହୋଇଥାନ୍ତି
ଆମକୁ କେବଳ ଆତ୍ମୀୟ ଜନ
ସେଥିପାଇଁ ତାଙ୍କ ସହ ରଖି ଭାବ
ସଂସାରେ ଚାଳିତ ପ୍ରତ୍ୟେକ ମନ ।
ଯେପରି ସୂରୁଯ ବୁଣନ୍ତି ମୁରୁଜ
ଆତ୍ମୀୟ ମଣି ସସାଗରା ଧରା
ସେପରି ମାନବ ଆତ୍ମୀୟତା ଭାବ
ଛୁଟାଇ ଚାଲିଲେ ଦିଶିବ ତୋରା ।