ସାକ୍ଷୀ ରହିବ ସାମ୍ପ୍ରଦାୟିକ ବିଷ
ସାକ୍ଷୀ ରହିବ ସାମ୍ପ୍ରଦାୟିକ ବିଷ
ହେଉ ସେଇ ମଣିଷ, ବିଦ୍ବାନ, ଜ୍ଞାନୀ ଓ
ଅଧିକାରୀ ବହୁ ପ୍ରତିଭାର
ନାହିଁ ମଣିଷ ମଣିଆ, ଯଦି ବିଷ ଫଳ ବୁଣେ,
ତା ଜୀବନ ଅଟେ ବେକାର |୧|
ହାଡ଼ ମାଉଁସରେ ନୁହେଁ ଖାଲି ଗଢ଼ା, ଆତ୍ମା
ପରା ଅଛି ମଣିଷ ଭିତର
ଅଜର ହୁଏ ସେହି ମଣିଷ, ଉଜଳି ଦିଏ
ଯେ ରଶ୍ମି ମହାନ୍ ଆତ୍ମାର |୨|
ଶାନ୍ତି ସତ୍ୟ ପୀରତି ଏ ତିନି, ହୋଇଲେ
ଠୁଳ ଏକ ଆଧାରରେ
ମହା ମହୀୟାନ ବିଜୟର ସ୍ତମ୍ଭ ତୋଳି
ଦେବ ସାରା ଦୁନିଆରେ |୩|
ସାରା ବିଶ୍ବ ଆଜି ଥରିଯାଏ ସାମ୍ପ୍ରଦାୟିକ
ଜାତିବାଦ ଆତଙ୍କ ଭୟରେ
ମୁଖ ମଣ୍ଡଳ ମଳିନ ପଡି଼ଛି, ଅଶ୍ରୁ ବହେ
ସାଧାରଣ ମଣିଷ, ରହେ ଅସହାୟରେ |୪|
ମାସ କାର୍ତ୍ତିକ, ଗାଉଛ ଭାଗବତ, ଡିବି
ଡିବି ଡେଙ୍ଗୁରା ପିଟିବା କି' ଲୋଡ଼ା ?
ଅମାସିଆ ଅନ୍ଧାରକୁ ଲୁଚେଇଲେ କଣ ସେ'
ଲୁଚେ କଲେ କାର୍ତ୍ତିକ ମାହାତ୍ମ୍ୟ ପଢା ?? |୫|
ସନ୍ଦେହର ବିଷ, ଏମିତି ଉତ୍କଟ, ଥରେ
ମନେ ଯଦି ତାହା ପଶି ଯାଏ,
ଜାଣିନକି, ସତର୍କ ନହେଲେ ମନ ଓ
ପ୍ରାଣକୁ ଅବିଳମ୍ବେ ଖାଇ ଦିଏ ?? |୬|
ନାୟକ ସାଜିଛ, ଅଭିନୟ କର, ଭାଷଣ
ଦେଉଛ ଦେଶପ୍ରେମର
କିପରି ନଜାଣୁଛ, ଝଡ ବି ଆସିବ ବତାସ
ଆସିବ, ନାହିଁ କିଆଁ ଲାଗୁନି ଡର |୭|
ମହ ମହ ମହକୁଥିବା, ମଧୁମାଳତୀ ଭର୍ତ୍ତି
ଅଗନା ଅଗନୀ ବନସ୍ତକୁ
ସାମ୍ପ୍ରଦାୟିକ ଜାତିବାଦ ନାମେ ଭୋଟ ଓ
ନିଜ ପଦବୀ ପାଇଁ ଧ୍ୱଂସ କର ଦେଶକୁ |୮|
କାହିଁକି ସାଜୁଛ ବଇରୀ, ମଣିଷ ମଣିଷ
ସମ୍ପର୍କ ଭିତରେ ଭରୁଛ ବିଷ
ଭାବୁଛ ଯାହାକୁ ନିଜର, ସ୍ବାର୍ଥ ସରିଲେ ହେବେ
ସାତପର, ନିଃଶ୍ୱାସକୁ ତ ନାହିଁ ବିଶ୍ୱାସ |୯|
ହୋଇପାରେ କିଏ ଆଗ, କିଏ ପଛ, ତୁମ
ନାଟକ ସରିଲେ ସମସ୍ତେ ହେବେ ଧ୍ୱଂସ
ତୁମ କର୍ମ ନେଇ ଆମେ ସରବେ ଭୋଗିବା
ଏଇଠି ସାକ୍ଷୀ ରହିବ ସାମ୍ପ୍ରଦାୟିକ ବିଷ |୧୦|
ଅଧର୍ମୀର ମାୟା ଜାଲରେ ଛନ୍ଦି ହୋଇଗଲା
ପରେ ଭାବିଲେ କି କଅଣ ହେବ
ମିଛ ସ୍ବପ୍ନ ଦେଖି, ଭଲ କାରିଗର ଭାବି, କରିଛେ
ତ ଆମେ ହର ହର ମହାଦେବ |୧୧|
