ସ୍ବପ୍ନ
ସ୍ବପ୍ନ
କ୍ଷଣିକ ଅବାସ୍ତବ ଦେହେ
ଅବଚେତନରେ ଓହ୍ଲାଏ ।
ରୂପ ରଙ୍ଗ ଗନ୍ଧ ତାହାର
ମଧୁର କେବେ କଦାକାର ।
ଭ୍ରମଣ କେବେ ଇନ୍ଦ୍ରପୁରୀ
କେବେ ଶୋକ ସମୁଦ୍ରେ ଘାରି ।
ରାଜ ଆସନେ ସୁଖ ଭୋଗ
କେବେବି କ୍ଷୁଧିତ ଭିକ୍ଷୁକ ।
ଧନ ଐଶ୍ବର୍ଯ୍ୟ ମଦ ମୋହେ
କେବେ ହରଷେ ମଜ୍ଜି ରହେ ।
କେବେ ଅନ୍ଧକୂପେ ପତିତ
ଚିତ୍କାର କରେ ଅବିରତ ।
କେବେ ଦେଖାଏ ବିଭତ୍ସତା
ତୁଣ୍ଡରୁ ନ ବାହାରେ କଥା ।
ଯାହା ନ ଦେଖେ ଚର୍ମ ଡୋଳେ
ଦେଖଇ ମାୟାର ପଟଳେ ।
କେତେ ଯେ ଅବାସ୍ତବ ଚିତ୍ର
ଏମିତି ସ୍ବପ୍ନର ବୃତ୍ତାନ୍ତ ।
କେବେ ପାହାନ୍ତି ସ୍ବପ୍ନ ସତ
ସୁଖଦୁଃଖକୁ କୋଳାଗ୍ରତ ।
ଦିବା ସପନ ଦେଖୁଥିଲେ
ପୂରଣ ନ ହୁଅଇ ଭଲେ ।
ଲକ୍ଷ୍ୟ ପଥରେ ଧାବମାନ
ପ୍ରଚେଷ୍ଟା ସହିତ ପ୍ରଯତ୍ନ ।
ଗୁରୁଜନଙ୍କ ଆଶୀର୍ବାଦ
ବିଭୁ କରୁଣାଝର ନାଦ ।
ସାଧନା ବଳରେ ସୁକର୍ମ
ରୂପ ପ୍ରକାଶେ ଅନୁପମ ।
ବାସ୍ତବ ସପନ ପୂରଣ
ବୁଝଇ ସଚେତନ ମନ ।