ମୁଁ କୁମ୍ଭାର କହୁଛି
ମୁଁ କୁମ୍ଭାର କହୁଛି
ମାଟି କରିଗରୀ ମୋ ବଂଶସମ୍ଭୁତ
ମାଟିର ଜୀବନ ମୋର
ମାଟି ଥିଲା ମୋର ଜୀବନର ପୁଞ୍ଜି
ସେ ଥିଲା ମୋ ପାଇଁ ଗର୍ବ ।
ଉନ୍ନତ ହୋଇଲା ଏ ମଣିଷ ଜାତି
ମୋତେ ସେତ ଭୁଲିଗଲା
ଆଧୁନିକ ଦ୍ରବ୍ୟେ ବାନ୍ଧି ହୋଇ ଗଲା
ମାଟି ତତ୍ତ୍ୱକୁ ଭୁଲିଲା ।
ଦିପାବଳୀ ଯେବେ ଆସୁଥିଲା ପୁଣି
ପୁଲକେ ହୃଦୟ ଭରା
ଭିନ୍ନ ରୂପ ରଙ୍ଗେ ମାଟି ଦୀପ ପରା
ଗଢୁ ଥିଲି ମନଲୋଭା ।
ବରଷକେ ଥରେ ଦୀପାବଳୀ ଆସେ
ଦେଇଯାଏ କେତେ ସ୍ଵପ୍ନ
ଦୀପ ତିଆରିରେ ଆଲୋକିତ ଥିଲା
ମୋ ଆର୍ଥିକ ମାନଦଣ୍ଡ ।
ମୋ ସପନ ଆଜି ଭାଙ୍ଗି ଯାଇଅଛି
ଆର୍ଥିକ ସ୍ଥିତି ବିପନ୍ନ
କଳା କାରିଗରୀ ଲୁପ୍ତ ହେଉଅଛି
ମନ ମୋର ସନ୍ଦିହାନ ।
ମୋ ସନ୍ତାନେ କାହିଁ ଆଗଭର ହେବେ
ପେଟ ଅପୋଷା ରହିବ
କିଏ ବୁଝିବ ମୋ ମରମ ବେଦନା
କାହାକୁ କହିବି କୁହ ।
ମୋ ସଂସ୍କୃତି ଗାଥା ମାଟିଦୀପ ତତ୍ତ୍ଵ
କିଏ ବା ଆଜି ବୁଝିବ
ଜୀବନ ଶୈଳୀ ତ ବଦଳି ଯାଇଛି
ମୋ ଜୀବନ ହନ୍ତ ସନ୍ତ ।
ମୋ ମାଟି ଡାକଇ ମୋ ଭାଟି ଡାକଇ
ଡାକେ ମୋର କୃତୀ ରାଜି
ମାଟି କହେ ମୋତେ କୁମ୍ଭାର ଭାଇରେ
ରୂପ ଦେଇ ଦେ ଜଲଦି ।
ମାଟି ଡାକ ଆଉ କଳା କାରିଗରୀ
କଥା କାନରେ ବାଜୁଛି
ପେଟ ଚାଖଣ୍ଡକ କଥା ବୁଝୁ ବୁଝୁ
ଅଣ ଦେଖା କରୁଅଛି ।
ଦୀପାବଳୀ ଭରେ ମନରେ ଆଲୋକ
ହେଲେ ମୋ ମନରେ ଖେଦ
ପୂର୍ବ ସ୍ମୃତି ଆସି ମାନସ ପଟରେ
ବେଦନାରେ ଭରେ ହୃଦ ।
ଆଖି ଲୋତକ ରେ ପାଦ ଧୋଇ ଦେବି
ଆସ ମାଆ ମୋର ଦୁଆରେ
ମାଟି ତତ୍ତ୍ଵ କଥା କହିଦିଅ ମାତା
ପ୍ରତି ଦୁଆରେ ଦୁଆରେ ।