ମୋ ଆର୍ଯ୍ୟଭୂମି ସାଧନା କ୍ଷେତ୍ର
ମୋ ଆର୍ଯ୍ୟଭୂମି ସାଧନା କ୍ଷେତ୍ର
ମୋ' ଆର୍ଯ୍ୟଭୂମି ଏ ଭାରତ ଭୂମି
ଅତି ପାବନ ତା' କୋଳ
ଯେଉଁଠି ଜନମ ଶ୍ରୀରାମ ଶ୍ରୀକୃଷ୍ଣ
ଭଗବାନ ଆଦିମୂଳ
ଜଣେ ପ୍ରଜାବତ୍ସଳ
ବାଲ୍ୟରୁ ଅଶେଷ ସଂହାରି ରାକ୍ଷସ
ଆନ ଭକତବତ୍ସଳ ।
ସୀତା ସାବିତିରୀ ପୂଣ୍ୟଦେହ ଧରି
ପୂଣ୍ୟଭୂମି ମରତରେ
ଗାର୍ଗୀ ମଇତ୍ରେୟୀ ରାଣୀ ଲକ୍ଷ୍ମୀବାଈ
ଯଶୋଦେହୀ କୀରତିରେ
ଧରମା ବାଜି ରାଉତ
ଗାନ୍ଧୀ ଗୋପବନ୍ଧୁ ତ୍ୟାଗେ ପରା ସିନ୍ଧୁ
ନୀତି ଆଦର୍ଶରେ ଦୀପ୍ତ ।
ପରାଶର ବ୍ୟାସ କେତେ ମୁନି ଈଶ
ସତେ ଦେବତ୍ବ ପ୍ରକାଶି
ଜ୍ଞାନର ଦୀପାଳି ଅନ୍ତରରୁ ଜାଳି
ମରତ ଜ୍ଞାନେ ଆକର୍ଷି
ବେଦଭୂମିର ସୁଖ୍ୟାତି
ବଢ଼ାଇଥିଲେ ସେ ଜ୍ଞାନ ବରଷାରେ
ଅତୁଳନୀୟ ଏ କ୍ଷିତି ।
ଭାରବୀ ଯେ ମାଘ ରଚିଲେ ଅମୋଘ
ଅଶେଷ ସଂସ୍କୃତ କାବ୍ୟ
ବାଣଭଟ୍ଟ କାଳିଦାସ ଦେଲେ ବୋଳି
ଏଥେ ବି ଆଭା ସ୍ବର୍ଣ୍ଣାଭ
ମୋ ଦେବଭୂମି ପବିତ୍ର
ଜନ୍ମିଛି ରଖିବି ପୂର୍ବଜ ଗୌରବ
ମଣି ସାଧନାର କ୍ଷେତ୍ର ।
ପୁରାଣର ଗାଥା ଇତିହାସ କଥା
ପୁଣି ସମାଜିକ ବାର୍ତ୍ତା
ଚାଲିଥିବ ତୋଳି ଲେଖନୀର କାଳି
ଭରିଣ ମହନୀୟତା
ସାଜ ଥିବ ଶୁଦ୍ଧଚେତା
ଜନମ ଜୀବନ ହେଉଥିବ ଧନ୍ୟ
ସଂସ୍କାରରେ ଟେକି ମଥା ।