STORYMIRROR

Manorama Mohanty

Children Stories

4  

Manorama Mohanty

Children Stories

ଆମେ ପରା ସବୁ ଭଉଣୀ ଭାଇ

ଆମେ ପରା ସବୁ ଭଉଣୀ ଭାଇ

1 min
358


ଏ ନେଳିଆ ଆକାଶ, ପାହାଡ଼ ଭୂଇଁ 

ସାତ ଦରିଆର ଲହରୀ ଛୁଇଁ, 

ଥିରି ଥିରି ବାଆ ଯାଏ ରେ ବହି 

ଦେଇ ଯାଏ ଆମ କାନରେ କହି

ଆମେ ପରା ସବୁ ଭଉଣୀଭାଇ |


ଏ ମାଟିରେ ଫଳେ ସୁନାଫସଲ 

ନଈ ଦିଏ ଏଠି ମଧୁର ଜଳ, 

ଏ ପବନ ଭରେ ଦେହରେ ବଳ 

ଜଗନ୍ନାଥ ଥାନ୍ତୁ ସହାୟ ହୋଇ

 ଆମେପରା ସବୁ ଭଉଣୀଭାଇ |


ସଭିଙ୍କ ଦେହରେ ରକତ ଏକା 

ଛୁଆଁ ଛୁଇଁ ଭେଦ ବେକାର ଡକା, 

ଦୁଃଖେ ସୁଖେ ଆମେ ସଭିଏଁ ସଖା 

ଏ ଭାବନା ଆମେ ଭୁଲିବା ନାହିଁ

 ଆମେପରା ସବୁ ଭଉଣୀଭାଇ |


ଏକ ଆମ ମନ ଏକଇ କଥା 

ଦେଶ ହିତ ଲାଗି ଦେବାରେ ମଥା, 

ଗାଇବା ଜଗତେ ପ୍ରେମର ଗାଥା 

ହାତେ ହାତ ପାଦେ ପାଦ ମିଳାଇ

    ଆମେ ପରା ସବୁ ଭଉଣୀଭାଇ |


ଭାରତ ଆମର ଜନମ ଭୂଇଁ 

ସମାଜ ଗଢିବୁ ଏକାଠି ରହି 

ଭୟ ନ ଥିବ ଟି କାହାରି ପାଇଁ 

ଶାନ୍ତି ପୋତ ଆମେ ଦେବୁ ଭସାଇ

    ଆମେପରା ସବୁ ଭଉଣୀଭାଇ |


ସବୁ ଦେଶେ ଯାଇ ଲାଗିବ ପୋତ

ସଭିଙ୍କୁ କରିବ ସାଥୀ ସଙ୍ଗାତ 

ଆମରି ସଂହତି ଏକତା ମନ୍ତ୍ର 

ଜଣାଇବ ସାରା ବିଶ୍ୱରେ ଯାଇ 

    ଆମେପରା ସବୁ ଭଉଣୀଭାଇ |


ପର ଦୁଃଖେ ଢାଳି ଆଖିରୁ ଲୁହ 

ଦୀନ ଦରିଦ୍ର ର ହେବୁ ସହାୟ 

ଗୁରୁଜନ ପାଦେ ମୁଣ୍ଡ ନୁଆଇଁ 

ଲଘୁଜନ ମାନଙ୍କୁ ନେବୁ କୋଳେଇ

   ଆମେ ପରା ସବୁ ଭଉଣୀଭାଇ |


ଆସ ଆଜି ଆମେ ନେବା ଶପଥ 

ମାଟି ମାଆ ସେବା ଆମରି ବ୍ରତ 

ଶାନ୍ତି, ମୈତ୍ରୀ, ପ୍ରଗତି ମଙ୍ଗଳ ଗୀତ 

ଗାଇଲେ ଏ ବିଶ୍ୱ ଉଠିବ ଚେଇଁ

    ଆମେପରା ସବୁ ଭଉଣୀଭାଇ |



Rate this content
Log in