ଜୀବନ ଦୋଛକି ରେ
ଜୀବନ ଦୋଛକି ରେ
ଏଇ ଧରା ବକ୍ଷେ ଜନମିଛି ସିନା
ମାନବର ରୂପ ନେଇ
ବୁଝିନାହିଁ କେବେ ଜୀବନର ମୂଲ୍ୟ
ଦୁନିଆଁକୁ ଚିହ୍ନି ନାହିଁ |
ଦୋଛକିରେ ଥାଇ ଚିହିଁକି ପଡେ ମୁଁ
କେଉଁ ପଥେ ଯିବି ଚାଲି
ଚାରିଆଡେ ଖାଲି ଶୂନ୍ୟ ପଦଧ୍ଵନି
ନିଜ ଛାଇ ଖେଳେ ଦୋଳି |
ଡାକେ ମୁଁ କାତରେ କିଏ ଅଛ କିରେ
. ମୋ ଡାକ କି ପାରୁନା ଶୁଣି |
ମୋ ଡାକଟା ପୁଣି ମୋ ପାଖେ ଲେଉଟେ
ମିଛ ପ୍ରତିଶୃତି ଘେନି |
ଜାଣେନା କିଏ ସେ ଆପଣାର ମୋର
କିଏ ଅଟେ ଅବା ପର
କାହାକୁ ବାଛିବି କିଏ ମୋ ଜୀବନେ
ଭରିବ ସୁଖ ସମ୍ଭାର |
ଯାହାକୁ କହେ ମୁଁ ତୁ ମୋ ନିଜର
ସେ ପୁଣି ଦୂରେଇ ରହେ
ମନେ ଥାଏ ଯେତେ ଅଫୁରନ୍ତ ସ୍ୱପ୍ନ
ସରି ସରି ସବୁ ଯାଏ |
ଯେଣେ ଚାହେଁ ଦେଖେ ଦୂର ଦିଗନ୍ତରେ
ମରୁ ମରୀଚିକା ଖାଲି
ଧାଇଁ ତା ପଛରେ ତୃଷ୍ଣା ମେଣ୍ଟେ ନାହିଁ
ଅନ୍ତର ଉଠଇ ଜଳି |
ଫେରି ଆସେ ଦୁଃଖେ ସାଥୀହରା ହୋଇ
ଆନ ପଥେ ଯିବା ପାଇଁ
ସେ ପଥେ ବି ଦେଖେ ନିର୍ଜନ ସୈକତ
ଦୁଃଖର ଉଜାଣି ନଈ |
କ୍ରୋଧ ଆକୁଳରେ ପ୍ରାଣଟା ମୋହର
କରେ ଉଚ୍ଚ ହାହାକାର
ମନେ ଭାବେ କାହିଁ ରକ୍ତ ମାଂସ ଦେଇ
ଗଢିଲେ ମୋତେ ଈଶ୍ୱର |
ଜନ୍ମ ଦେଇ ଯେବେ କଲବଲ କଲେ
ମଣିଷର ମନ ପ୍ରାଣ
ଲାଭ କଣ ତେବେ ବଞ୍ଚି ରହିବାର
ଧରି ଏ ବ୍ୟର୍ଥ ଜୀବନ |