ବୋଉ
ବୋଉ
ସ୍ନେହ ପ୍ରେମ ସୁଧା ଛଳ
ଉଷ୍ମ ମୋ ବୋଉର କୋଳ
ଅପାସୋରା ତା ଚୁମ୍ବନ
ବାତ୍ସଲ୍ୟର ଅନୁବନ୍ଧନ
ଲଳିତ ସୁହାଗ ଭରା
ଅବୟବ ତା'ର ତୋରା
ସତେ ସଞ୍ଜ ଦୀପ ଟିଏ
ଦିକ ଦିକ ଜଳୁଥାଏ
ତା ସହ କେ ହେବ ସରି
ଗାଇବି ତା ଅନ୍ତାକ୍ଷରୀ ।
ରୂପବତୀ ବିଳାସିନୀ
କୋମଳ ଚାରୁ ହାସିନୀ
ଜୀବନ୍ତ ଠାକୁରାଣୀ ମଞ୍ଜୁଳଦେହୀ
ତା ପାଇଁ ହସଇ ଘର
ସୃଷ୍ଟି ହୁଏ ମଧୁଝର
ଆୟୁଷ ଆଶୀଷ ତାର ସବୁରି ପାଇଁ ।
ଛଳ ଛଳ ମଧୁବେଶ
ଅନୁପମ ମୃଦୁହାସ
ଜାୟା ଜନନୀ ଭଗିନୀ ତନୁବଲ୍ଲରୀ
ଆମ ଘର ଠାକୁରାଣୀ
ସୁଧା ସଞ୍ଜିବନୀ ବୁଣି
ମଧୁର ମମତା ଭରା ଭାଷା ତାହାରି ।
ପଳ ପଳ ମମତାରେ
ଅନାବିଳ ମାତୃତ୍ୱରେ
ଜୀବନବିନ୍ଦୁ ରେ ଆମ
ରହିଛି ତାହାରି ତ୍ୟାଗ
ମୋ ଶରୀର ପ୍ରାଣବାହୀ
ମମତାର ଭରା ନଈ
ତା ବିନୁ କେ ଆନ ନାହିଁ
ମୋ ପାଇଁ କଲ୍ୟାଣଦାୟୀ
ଦେବୀ ପ୍ରତିମା ସେ ପୁଣି
ତା ପାଦ ମୋ ତୀର୍ଥଭୂମି ।
ନାହିଁ ବୋଲି ମୋ ପାଶେ
ଝୁରୁଛି ମୁଁ ଅବଶୋଷେ
ଦେଖନ୍ତି କି ତାକୁ ଥରେ
ପଚାରନ୍ତି ଗଲୁ କେଣେ
ଭିଡି ମୁଁ ଧରନ୍ତି ବାହୁ
କହନ୍ତି ବୋଉଲୋ ବୋଉ
ଯା 'ନି ଲୋ ଛାଡି ମୋତେ
ନେହୁରା ହେଉଛି ତୋତେ ।