କାଉ
କାଉ
ସିନ୍ଧୁରା ଫାଟିବା ଆଗରୁ ଶୁଭଇ
ଘରଅଗଣାରେ କାଆ
କାଉଟିଏ ଡାକେ ଉଠିପଡ ବେଗେ
କୁନାକୁ ଡାକଇ ମାଆ !
ଦେଖିବାକୁ ସିନା କଳା ମଚମଚ
କାମଟି ତା ନିରିମଳ
ଅସନା ଦରବ ଖୁଣ୍ଟି ଖାଇ ଦେଇ
ଶବଦରେ ଗୋଳମାଳ !
ସକାଳ ପହରୁ ତା ଡାକ କାହାକୁ
ଭଲ ଲାଗୁ ନ ଲାଗଇ
ସମୟର ବାର୍ତ୍ତା ସୂଚନା ଦେଇ ସେ
ଦୂତ କାର୍ଯ୍ୟ କରିଥାଇ !
କାଉର ବସାରେ କୋଇଲିଟି ଆସି
ଅଜାଣତେ ଅଣ୍ଡା ଦେଇ
ମନର ମମତା ଅଜାଡି ଅନେକ
ଶାବକକୁ ଉପୁଜାଇ !
ସେ ଶାବକମାନେ ତାବଳ ଦେଇଣ
ଟିକିଟିକି ଡେଣା ଝାଡ଼ି
ବସନ୍ତରେ ଆଉ ନଫେରେ ନୀଡ଼କୁ
ନୀଡ ଗଲାଣି ଉଜୁଡି !
ଲୋକେ କହୁଛନ୍ତି କୋଇଲି ପାଇଁକି
ମମତାମୟୀ ମାଆଟି
କାଉ ଓ କୋଇଲି ସ୍ୱରରେ ଫରକ
ରଙ୍ଗରେ ଏକା ଭଳଟି !
ସମୟ ଗତିରେ ମାଆ ଭୁଲି ନାହିଁ
ଆଞ୍ଜୁଳେ ଚାଉଳ ଥୋଇ
କାଉଟିକୁ ଡାକେ ନିତି ଅଗଣାରେ
ପ୍ରଥମ କୁଣିଆ ହୋଇ !