ଜୀବନକୁ ଦେଲି ଚିଠି
ଜୀବନକୁ ଦେଲି ଚିଠି
ହେ ପୂଜ୍ୟ ଜୀବନ ଘେନ ନିବେଦନ
ଜଣାଏଁ ଦେଇ ସମ୍ମାନ,
ଜୀବନୁ ମରଣ ଆଉ କେତେ ଦିନ
କହି ଦିଅ ମତେ ଧନ ।
ଚାଲିବାକୁ ଏଇ ଜୀବନ ପଥରେ
ରହିଗଲା କେତେ ବାଟ,
କହି ଦେଇ ଥିଲେ ହିସବ କରନ୍ତି
କେତେ ଦିନ ପ୍ରାଣ ନାଟ ।
ତେଲ, ଲୁଣର ଏ ମିଛ ସଂସାରରେ
ବଞ୍ଚିବାକୁ କଷ୍ଟ ଭାରି,
ଭଲ ମନ୍ଦ କିଛି ଜଣା ନାହିଁ ମତେ
କହିଦିଅ କୃପାକରି ।
ପାପ କରିଛି ନା ପୂଣ୍ୟ ଅରଜିଛି
ଏଇ ଜନମରେ ମୁହିଁ,
କିଫଳ ପାଇବି କ'ଣ ଯେ ଭୋଗିବି
ଦିଅ ତୁମେ ମତେ କହି ।
ଅବାଟରେ ଯଦି ପାଦ ଖସିଯାଏ
କୋଳକୁ କୋଳେଇ ନେବ,
ପୂଣ୍ୟର ପଥରେ ହାତଧରି ମତେ
ଚାଲିବା ଶିଖାଇ ଦେବ ।
ସଂସାର ସାଗରେ ତୁମେ ମୋ ନୈକା
ବିବେକ ମୋ ନାଉରିଆ,
ବିବେକ ରୂପରେ ସ୍ବୟଂ ଭଗବାନ
କରନ୍ତୁ ମୋ ଠାରେ ଦୟା ।
ସୁଖରେ ଦୁଃଖରେ ପ୍ରତି ମୂହୁର୍ତ୍ତରେ
ତୁମେ ସିନା ମୋର ସାକ୍ଷୀ,
କେତେ କଥା ଅଛି ଲେଖି ମୁଁ ପାରେନା
ରହିଗଲା କିଛି ବାକି ।
ଲେଖି ଗଲି ଯାହା ଲେଖନୀ ମୂନରେ
କ୍ଷମା ଦେବ ହେଲେ ତ୍ରୁଟି,
ଆକୁଳ ମନରେ ବିକଳ ହୋଇ ମୁଁ
ଜୀବନ କୁ ଦେଲି ଚିଠି ।
