ମାନସ ମନ୍ଥନେ
ମାନସ ମନ୍ଥନେ
ବିଶ୍ବାସରେ ମୋର ପ୍ରେମ ତରଙ୍ଗିନୀ
ଖେଳୁଅଛି ପ୍ରିୟବର
କୃଷ୍ଣମଗ୍ନା ହୋଇ ଜଗନ୍ନାଥ ପାଶେ
ମଜ୍ଜିଯାଏ ଚିତ୍ତ ମୋର ।
ନିଃସଙ୍ଗ ଜୀବନେ ସଙ୍ଗ ଦାନ କର
ଏକାନ୍ତେ ଭେଟଇ ତୋତେ
ଅତି ଆପଣାର ପାଇ ମୋ ଠାକୁର
ଦୁଃଖକୁ ଭୁଲିଛି ଯେତେ ।
ସ୍ମୃତି ଚାରଣ ମୁଁ କରୁଥାଏ ଯେବେ
ପାଏ ତୋହରି ସାନିଧ୍ୟ
ମାନସ ମନ୍ଥନେ ଚିତ୍ତର ମଗନେ
ହୃଦେ ବସ ମୋ ଆରାଧ୍ୟ ।
ଅଶ୍ରୁ ନୀରେ ତୋର ଚରଣ ପଖାଳେ
ରାଧାରାଣୀ ସଙ୍ଗେ ନିତି
କୋଳାଗ୍ରତ କରି ଧନ୍ୟ କରିଦିଅ
ଧ୍ୟାୟେ ଯୁଗଳ ମୁରତି ।
ହରେ କୃଷ୍ଣ ହରେ ରାମ ନାମ ଜପି
ଆରାଧନା କରୁଥାଇ
ତୁଣ୍ଡେ ରଟୁଥାଏ ନାମ ଗୋଟି ତୋର
ମାନସ ପୂଜା କରଇ ।
ଆନନ୍ଦେ ବିଭୋର ପ୍ରାଣ ମୋ ଅଧିର
ହୋଇ ଯାଉଥାଏ ପାଇ
ପାଶେ ଶ୍ୟାମଘନ ସଙ୍ଗେ ରାଧାରାଣୀ
ସେବା ଦାସୀ ଟିଏ ହୋଇ ।
ଏତିକି ସୁଦୟା କରୁଥିବ ଦୟା
ଏ ଭାବ ତୁଟି ନ ଯାଉ
ଜୀବ ଗଲାବେଳେ ଯୁଗଳ ମୁରତୀ
ଦେଖି ପ୍ରାଣ ଲୀନ ହେଉ ।
