ସେଇ ତୋଟା ରେ
ସେଇ ତୋଟା ରେ
ସେଇ ତୋଟାଟି....
ଖରା ଵେଳେଟି
କଷି ଆମ୍ବସାଙ୍ଗେ ଲୁଣ ଲଙ୍କାଟି
ଚକଟିବା ପାଇଁ ରସର ବାଟି
ପାଟି ପୁରିଯାଏ ଲାଳ ବୋହିକି
କହିଲୁ ସାଙ୍ଗ
ଏତେ ଖଟାଲାଗେ ମିଠା କେମିତି?
ହଁ, ମିଠା ମିଠା ଆମ ମନ ପାଇଁକି।।
ସେଇ ତୋଟାରେ......
ସକାଳ ଆସଇ
କିଚିରି ମିଚିରି ଚଢ଼େଇ ସୁରେ
ଟୁପୁରୁ ଟାପର ମେଘ ବର୍ଷାରେ
କାକର ବିନ୍ଦୁର ଶୀତ ସକାଳେ
ପ୍ରଭାତୀ ସୂର୍ଯ୍ୟର ରଙ୍ଗ ତୁଳୀରେ
ରଙ୍ଗୀ ମାଆ ବୁଢୀ ପତ୍ର ଓଳାରେ
ଆମ ହୋ ହାଲ୍ଲା ସାଙ୍ଗ ମେଳରେ
ଏତେ ସବୁକଥା କାହିଁକି କିରେ...?
ସେଇ ତୋଟାରେ.....
ଛୁଟି ଦିନରେ ଖରା ବେଳରେ
ରାଧୁ ଭାଇ ଭାରି ଦୁଷ୍ଟାମୀ କରେ
ମାଙ୍କଡ ମାନଙ୍କୁ ଫୋପଡ ମାରେ
କଷି କଷି ଆମ୍ବ ଗଛରୁ ପାରେ
ମାନତି ଲୋକଙ୍କ ଗାଳିଵି ଶୁଣେ
ହେଲେ କାହାକଥା ମନେ ନଧରେ।।
କାହିଁକି କିରେ?
ସେଇ ତୋଟାରେ....
ମଧୁ ଵିଧୁ ଆଉ ପଦୁ ସାଥିରେ
ବନୁ ମୀନୁ ଆଉ ନୀରୁ ମେଳରେ
କେବେ ଲୁଚକାଳି ବୋହୂ ଚୋରୀରେ
ଖପର କାତି ଓ ଗୁଚି ଦାଣ୍ଡୀରେ
ଡାଳ ମାଙ୍କୁଡିର ମଜା ଭିତରେ
ଛୁଟିଦିନ ଖରାବେଳ କଟେରେ
ବାପା ଦାଦା ଜେଜ ତାସ ମାଡ଼ରେ
ପଶା ପାଲିଖେଳ ହାଲ୍ଲା ଗୋଲାରେ
ସତେ ଲାଗୁଥିଲା କେତେ ମଜାରେ
କାହିଁକି କିରେ....?
ସେଇ ତୋଟାରେ....
ବସନ୍ତ କାଳେ
ସହକାର ଵୃନ୍ତେ ଵଉଳ ଖେଳେ
ଚୋରା ମଳୟ
ର ଛୁଆଁ ଛୁଇଁରେ
ବଉଳ ସ୍ତଵକୁ ମହକ ଝରେ
ଗହଳିଆ ତାର ପତ୍ର କୁଞ୍ଜରେ
ଲୁଚି ପିକ ଗାଏ କୁହୁକୁହୁ ସୁରେ
ମନଟା ପୁରେ
କାହିଁକି କିରେ ......?
ସେଇ ତୋଟାରେ....
ସୂର୍ଯ୍ୟ ନଇଁଗଲେ ନଈ ସେକରେ
ଥିରି ଥିରି କରି ସଞ୍ଜ ଆସେରେ
ତୋଟା ସେପଟର ଦେଵ ମନ୍ଦିରେ
ଶଙ୍ଖ ଘଣ୍ଟ ଘଣ୍ଟି ମଧୁର ସୁରେ
ଦେବତାଙ୍କ ପାଖେ ଆଳତୀ ସରେ
ଶୁଖିଲା ପତର ଖଡଖଡରେ
ଭୂତ ଭୟରେ
ସାଙ୍ଗମେଳ ହୋଇ ଦଉଡୁ ଘରେ
ଚୁପିଚୁପି କରି ଅନ୍ଧାର ଝରେ
ତୋଟା ଛାତିରେ
କାହିଁକି କିରେ .... ,?
ସେଇ ତୋଟାରେ.....
ନିର୍ଜନ ନିଶୀଥେ ଅନ୍ଧାର କୋଳେ
ମଇଁଷୀଆଳର ଵଇଁଶୀ ସୁରେ
କାହ୍ନୁ ଲାଗି କୋଉ ରାଇଟା ଝୁରେ
କିଵା ଜାଣୁ ଆମେ ପିଲା ମନରେ
ମଇଁଷୀଆଳର କିଅଵା ଯାଏ
କିଏ କାହ୍ନୁ ଆଉ ରାଇଵା କିଏ
ଝୁରୁଛି କାଲାଗି କୋଉଠି କିଏ
ଆଖିର ଲୁହେ
ମନର କୋହେ
ଲୁଚି ଲୁଚୀରେ।।
କାହିଁକି କିରେ....?
ସେହି କଥାରେ
ମନେପଡେ ଆଜି କାହିଁକି କିରେ
ସେହି ତୋଟାରେ
ଅତୀତର ସ୍ମୃତି ମନରେ ଝରେ
ହଁ,ଏଇଥି ପାଇଁ
ଆମ ମନଥିଲା ଖୋଲା ମେଲାରେ
ସାଙ୍ଗସାଥୀ ଥିଲେ କେତେ ଭଲରେ
ନଥିଲା ସେ ମନ କଳୁଷିତରେ
ଆମେ ସବୁଥିଲେ ଦେବ ଶୀଶୁରେ
ସେଥିପାଇଁରେ .....।।