ସିଏ କି ମଣିଷେ ଗଣା
ସିଏ କି ମଣିଷେ ଗଣା
ଭଲପାଅ ମୋତେ ହେ ସାଗର ତୁମେ
ପାଶେ ଆସିବାକୁ ଦିଅ
ତୁମ ପାଇଁ ଯେତେ ସାଇତି ରଖିଛି
ମୋ ଭଲପାଇବା ନିଅ ।।
ଭଲପାଅ ମୋତେ ଗିରି ଝର ବନ
ପାଶେ କେବେ ଥରେ ଡାକ
ଭଲପାଏ ଭଲ ପାଉଥିବି ମୁହିଁ
ତୁମକୁ ଜୀବନଯାକ ।।
ଭଲପାଅ ମୋତେ ତଟିନୀ ଗୋ ତୁମେ
ବସିବାକୁ ଦିଅ ପାଶେ
ତୁମକୁ ଛୁଇଁକି ଦେଖାଇ ଦେବି ମୁଁ
ମୋତେ ଭଲପାଇ ଆସେ ।।
ଭଲପାଅ ମୋତେ ସବୁଜ ପ୍ରାନ୍ତର
ବସିବାକୁ ଦିଅ କୋଳେ
ତୁମ କମନୀୟ ରୂପ ଠାଣି ମୁହିଁ
ଦେଖୁଥିବି ନିତି ଡୋଳେ ।।
ଭଲପାଅ ମୋତେ ହେ ଚନ୍ଦ୍ରମା ତୁମେ
ଦେଖିବାକୁ ଦିଅ ଥରେ
ଭଲପାଏ ବୋଲି ଏବେ ନ ହେଲେ ବି
କହିଦେବି କେବେ ପରେ ।।
ଭଲପାଅ ମୋତେ କୁସୁମ କଳିକା
ପାଶେ ଆସିବାକୁ କୁହ
ଜୀଇଥିବା ଯାଏ ଭଲ ପାଉଥିବି
ଫେରାଇ ନେବିନି ମୁହଁ ।।
ଭଲପାଇ ଏଠି ଜୀଇବାକୁ ହୁଏ
ମୋତେ ଭଲେ ଅଛି ଜଣା
ଯିଏ ସେ କାହାକୁ ଭଲପାଏ ନାହିଁ
ସିଏ କି ମଣିଷେ ଗଣା !!!
