ଭୂଲ ନାହିଁ ମୋ କାହାଣୀ
ଭୂଲ ନାହିଁ ମୋ କାହାଣୀ
ଭୂଲନାହିଁ ମୋ କାହାଣୀ (ଶିଶୁ କବିତା)
ରକ୍ତ ନ ଝରୁ ପଛେ ଦେହରୁ ମୋର
ଲାଗଇ ଆଘାତ ମୋତେ
ଚାଲି ପାରେନା କି କଥା ବି କହେନା
କେମିତି ଜାଣିବ ସତେ ।
ଛୋଟ ବୀଜଟିରୁ ମହାଦ୍ରୁମ ହୁଏ
ଜାଣନା ତୁମେ ବି କେହି
କେତେ ଯେ ଖରା ବରଷା କାକର
ସହି ଯାଉଅଛି ମୁହିଁ ।
ନାନା ରଂଗ ଫୁଲ ଫୁଟଇ ମୋ ଦେହେ
ବଣ ବିଲ ଉପବନେ
ଅବସାଦ ତୁମ ଦୂର କରିନିଏ
ଖୁସି ଭରିଦେଇ ମନେ ।
ମୋ ଡାଳର ଯେତେ ସବୁଜ ପତର
ପଥିକକୁ ଛାଇ ଦିଏ
ବିଷାକ୍ତ ବାୟୁକୁ ଶୋଷଣ କରିକି
ଅମ୍ଳଜାନ ମୁଁ ଯୋଗାଏ ।
ନାଲି ହଳଦିଆ ଝୁଲଇ ମୋ ଦେହେ
ସୁଆଦିଆ ମିଠା ଫଳ
ଅତି ସରାଗରେ ତୋଳି ନଉଅଛ
ଖାଇଲେ ବଢୁଛି ବଳ ।
ମୋର ଚେର ଦେଇ ଜଳ ଶୋଷି ନେଇ
ଆକାଶକୁ ଛାଡିଦିଏ
ଯେତେ ସବୁ ଜଳ ମେଘ ହୋଇ ସେଠି
ପୁଣି ବରଷି ଯାଏ ।
ଶେଷ କଥାଟି ମୋ ଶୁଣ ମନ ନେଇ
ଔଷଧ ଗୁଣଟି ମୋର
ଫୁଲ ଫଳ ଅବା ପତର ଚେରରେ
ରହିଥାଏ ଭରପୁର ।
ବଞ୍ଚି ଥାଉ ଥାଉ ସଉଖୀନ ପାଇଁ
ଦଉଅଛ ମୋତେ ହାଣି
ଗୁହାରି କରୁଛି ଭୂଲ ନାହିଁ ଜମା
ମୋ ଉପକାର କାହାଣୀ ।