ପଡିଛି ଅନେକ ଦଶା
ପଡିଛି ଅନେକ ଦଶା


କାଆ କାଆ ରାବି ଡାମରା କାଉଟି
ସକାଳୁ ନିଇତି ଆସେ
ଦରଜା ଆମର ନ ଖୋଲିବା ଯାଏଁ
ଚାଳରେ ସେମିତି ବସେ ।
ହୁକେ ହୋ ରଡନ୍ତି ବିଲୁଆ ପଲକ
ବେଳ ଯେବେ ନଇଁ ଯାଏ
ତରବରେ ଆସି ନୂଆ ବୋଉ ଆମ
ସଞ୍ଜବତୀ ଜାଳିଦିଏ ।
କିଚିରି ମିଚିରି ଶୁଭୁନାହିଁ ଆଉ
ଦିଶୁନି ଘରଚଟିଆ
ଡେଣା ଝାଡି ଝାଡି ଖାଇଯାଏ ଯେତେ
ଘରର ଟିକି ଅଳିଆ ।
କୁହୁ କୁହୁ ଗୀତ କୋଇଲି ଗାଏରେ
ବଉଳ ଆସଇ ଯେବେ
ଭାରି ମଜା ଲାଗେ ନକଲ ନେବାକୁ
ଶୁଭୁନାହିଁ ଆଉ ଏବେ ।
ଡାମରା ହେଉ କିବା ବିଲୁଆ ହେଉ
କୋଇଲି ଘରଚଟିଆ
ବୋଉ ଲୋ ବୋଉ କହିବୁ ସତ ତୁ
ଆସୁନାହାନ୍ତି ଆଉ କିଆଁ?
ଗଛ କାଟିକୁଟି ଘର କରାଗଲା
ଭାଙ୍ଗିଲା ତାଙ୍କରି ବସା
ବଂଶ ବୁଡିଲାଣି ଅଧିକ ଜୀବର
ପଡିଛି ଅନେକ ଦଶା ।